ହୃଦ୍ଘାତ
ମାନବ ରୋଗ / From Wikipedia, the free encyclopedia
ହୃଦ୍ଘାତ (ଇଂରାଜୀରେ ମାୟୋକାର୍ଡ଼ିଆଲ ଇନଫାର୍କସନ ବା ଏମ.ଆଇ. ଅଥବା ଆକ୍ୟୁଟ ମାୟୋକାର୍ଡ଼ିଆଲ ଇନଫାର୍କସନ ବା ଏ.ଏମ.ଆଇ., ବା ହାର୍ଟ ଆଟାକ୍ ଯଥାକ୍ରମେ Myocardial infarction (MI) or acute myocardial infarction (AMI), commonly known as a heart attack), ରୋଗ ହୁଏ ଯେତେବେଳେ ହୃତ୍ପିଣ୍ଡର ଗୋଟିଏ ଅଂଶକୁ ରକ୍ତ ସରବରାହ ବନ୍ଦ ହୋଇ ସେହି ସ୍ଥାନର ହୃତ୍ପିଣ୍ଡ ମାଂସପେଶୀ ମରିଯାଆନ୍ତି । ଏହାର ଅତି ସାଧାରଣ ଲକ୍ଷଣ: ଛାତି ଯନ୍ତ୍ରଣା ବା ଛାତି ବେଆରାମ ଯାହା କାନ୍ଧ, ବାହୁ, ପିଠି ଓ ହନୁ ହାଡ଼ ଆଡ଼କୁ ମାଡ଼ିଯାଏ । ଅଧିକାଂଶ ସମୟରେ ଏହି କଷ୍ଟ ଛାତି ମଝିରେ ବା ବାମ ପାଖରେ ହୁଏ ଓ କିଛି ମିନିଟରୁ ଅଧିକ ସମୟ ଧରି ରହେ । ଅନେକ ସମୟରେ ଏହା ଛାତି ଜ୍ୱଳନ ଭଳି ଲାଗେ । ଅନ୍ୟ ଲକ୍ଷଣ ମଧ୍ୟରେ ଛୋଟ ଶ୍ୱାସକ୍ରିୟା, ଓକାଳ, ଅଚେତ ଅନୁଭବ, ଥଣ୍ଡା ଝାଳ ଓ ଥକ୍କା ଲାଗିବା ଭଳି ଲାଗେ । [1] ପ୍ରାୟ ୩୦ % ଲୋକଙ୍କର ଅସ୍ୱାଭାବିକ ଲକ୍ଷଣ ଥାଏ,[2] ପୁରୁଷଙ୍କର ମହିଳାଙ୍କ ଅପେକ୍ଷା ଅଧିକ ଅସ୍ୱାଭାବିକ ଲକ୍ଷଣ ଦେଖାଯାଏ । [3] ୭୫ ବର୍ଷରୁ ଉର୍ଦ୍ଧ୍ୱ ଲୋକଙ୍କ ମଧ୍ୟରୁ ୫ % ଲୋକଙ୍କର ସାମାନ୍ୟ ବା କୌଣସି ଲକ୍ଷଣ ନ ଥାଏ ।[4] ହୃଦ୍ଘାତ ଫଳରେ ହୃଦ୍ପାତ (heart failure), ଅନିୟମିତ ହୃତ ସ୍ପନ୍ଦନ ବା ହୃଦ୍ରୋଧ (cardiac arrest) ହୋଇପାରେ । [5][6]
ହୃଦ୍ଘାତ | |
---|---|
ଶ୍ରେଣୀବିଭାଗ ଓ ବାହାର ସ୍ରୋତ | |
ସ୍ପେଶାଲିଟି | cardiology[*] |
ଆଇସିଡ଼ି-୧୦ | I21.-I22. |
ଆଇସିଡ଼ି-୯-ସିଏମ୍ | 410 |
ରୋଗ ଡାଟାବେସ | 8664 |
ମେଡ଼ିସିନ-ପ୍ଲସ | 000195 |
ଇ-ମେଡ଼ିସିନ | med/1567 emerg/327 ped/2520 |
Patient UK | ହୃଦ୍ଘାତ |
MeSH | D009203 |
ଅଧିକାଂଶ ହୃଦ୍ଘାତ କରୋନାରୀ ଧମନୀ ରୋଗ ଯୋଗୁ ହୁଏ । [5] ସଙ୍କଟ ଦାୟକ ଅବସ୍ଥା ମଧ୍ୟରେ ଉଚ୍ଚ ରକ୍ତଚାପ, ଧୂମ୍ରପାନ, ଡାଏବେଟିସ ମେଲିଟସ, ବ୍ୟାୟାମ ଅଭାବ, ମୋଟାପଣ, ରକ୍ତରେ ଅଧିକ କୋଲେଷ୍ଟ୍ରଲ୍, ଦରିଦ୍ର ଖାଦ୍ୟ ଓ ଅତ୍ୟଧିକ ମଦ୍ୟପାନ ମୂଖ୍ୟ ଅଟେ । [7][8] ରକ୍ତନଳୀରେ ଜମିଥିବା ଆଥେରୋସ୍କ୍ଲେରୋଟିକ ପ୍ଲେକ ଭାଙ୍ଗିଯାଇ କରୋନାରୀ ଧମନୀକୁ ସମ୍ପୁର୍ଣ୍ଣ ବନ୍ଦ କରିଦେଲେ ଏହି ରୋଗ ହୁଏ । [5] କ୍ୱଚିତ, କୋକେନ ଖାଇବା ଯୋଗୁ, ମାନସିକ ଚାପ ଯୋଗୁ ଓ ଅତ୍ୟଧିକ ଥଣ୍ଡା ଯୋଗୁ, କରୋନାରି ଧମନୀର ସ୍ପାଜ୍ମ ହୋଇ ଏମ.ଆଇ. ରୋଗ ହୁଏ ।[9][10] ଇସିଜି, ରକ୍ତ ପରୀକ୍ଷା ଓ କରୋନାରୀ ଆଞ୍ଜିଓଗ୍ରାମ ସାହାଯ୍ୟରେ ରୋଗ ନିର୍ଣ୍ଣୟ କରାଯାଏ । [11] ଏସଟି ଉତ୍ଥାନ ଇସିଜି ସାହାଯ୍ୟରେ ଜଣାପଡ଼ିଲେ ଏମ ଆଇ ରୋଗ ନିଶ୍ଚିତ କରାଯାଏ । [2] ସାଧାରଣତଃ ଟ୍ରୋପୋନିନ ଓ ବେଳେ ବେଳେ କ୍ରିଏଟିନ କାଇନେଜ ଏମ.ବି. ଭଳି ରକ୍ତ ପରୀକ୍ଷା କରାଯାଏ । [11]
ଏମ.ଆଇ. ରୋଗ ସନ୍ଦେହ ହେଲେ ତୁରନ୍ତ ଆସ୍ପିରିନ ଦେବା ସର୍ବୋତ୍ତମ ଚିକିତ୍ସା ।[12] ଛାତି ଯନ୍ତ୍ରଣା ଉପଶମ ନିମନ୍ତେ ନାଇଟ୍ରୋଗ୍ଲିସେରିନ କିମ୍ବା ଓପିଅଏଡ଼ ଦିଆଯାଏ କିନ୍ତୁ ମୋଟାମୋଟି ଫଳାଫଳ ଏହାଦ୍ୱାରା ଉନ୍ନତ ହୁଏ ନାହିଁ । [2][12] ଛୋଟ ଶ୍ୱାସକ୍ରିୟା ହେଉଥିଲେ ବା ଅମ୍ଳଜାନ ସ୍ତର କମ ଥିଲେ ଅଧିକ ଅମ୍ଳଜାନ ଦିଆଯାଏ [12] ଏମ.ଆଇ.ରେ ଏସ.ଟି. ଉପରକୁ ଥିଲେ ରକ୍ତ ପ୍ରବାହ ପୁନଃସ୍ଥାପନ କରିବା ନିମନ୍ତେ ଆଞ୍ଜିଓପ୍ଲାସ୍ଟି କରାଯାଏ ଯେଉଁଥିରେ ଧମନୀ ଖୋଲାଯାଏ ବା ଔଷଧ ଦେଇ ଥ୍ରୋମ୍ବୋଲାଇସିସ କରି ବାଧା ଦୂର କରିଦିଆଯାଏ । [2] ଏସ.ଟି. ଉପରକୁ ନ ଥାଇ ଏମ.ଆଇ. ରୋଗ ଥିଲେ ହେପାରିନ ଦେଇ ରକ୍ତକୁ ପତଳା କରିଦିଆଯାଏ ଓ ତାହା ସହିତ ଅଧିକ ସଙ୍କଟ ଥିଲେ ଆଞ୍ଜିଓପ୍ଲାସ୍ଟି କରାଯାଏ । [12] ଅନେକ କରୋନାରୀ ଧମନୀରେ ଅବରୋଧ ଓ ଡାଏବେଟିସ ଥିଲେ ଆଞ୍ଜିଓପ୍ଲାସ୍ଟି ନ କରି ବାଇପାସ ଅପରେଶନ କରିବାକୁ ଉପଦେଶ ଦିଆଯାଏ । [13] ଏମ.ଆଇ. ରୋଗ ଚିକିତ୍ସା ପରେ ଜୀବନ ଧାରା ବଦଳେଇବାକୁ ପଡ଼େ, ଦୀର୍ଘକାଳୀନ ଆସ୍ପିରିନ, ବିଟାବ୍ଲକର ଓ ସ୍ଟାଟିନ ଦେବାକୁ ସୁପାରିସ କରାଯାଏ । [2]
ପ୍ରତି ବର୍ଷ ପୃଥିବୀରେ ଏସ.ଟି. ଉପରକୁ ଥାଇ ଏମ.ଆଇ. ରୋଗ ୩ ନିୟୁତ ଓ ଏସ.ଟି. ଉପରକୁ ନ ଥାଇ ଏମ.ଆଇ. ରୋଗ ୪ ନିୟୁତ ଥାଏ । [14] ଏମ.ଆଇ.ରେ ଏସ.ଟି. ଉପରକୁ ଥିବା ରୋଗ ମହିଳାଙ୍କ ଅପେକ୍ଷା ପୁରୁଷଙ୍କର ଦୁଇଗୁଣ ଥିବା ଦେଖାଯାଏ । [15] ଆମରିକାରେ ପ୍ରାୟ ଏକ ନିୟୁତ ଲୋକଙ୍କର ପ୍ରତି ବର୍ଷ ଏମ ଆଇ ହୁଏ । [5] ଏହାଯୋଗୁ ବିକଶିତ ଦେଶମାନଙ୍କରେ ମୃତ୍ୟୁ ହାର ୧୦ % ଥାଏ ।[2] ପୃଥିବୀରେ କୌଣସି ନିର୍ଦ୍ଦିଷ୍ଟ ବୟସରେ ୧୯୯୦ରୁ ୨୦୧୦ ମସିହା ମଧ୍ୟରେ ଏମ ଆଇ ହାର କମୁଛି । [16]
ହୃଦ୍ମାଂସପେଶୀୟ ରକ୍ତରୋଧୀ ତନ୍ତୁ କ୍ଷୟ (Myocardial infarction) ରୋଗକୁ ଲୋକମାନେ ହୃଦ୍ଘାତ ରୋଗ କହନ୍ତି । ହୃତ୍ପିଣ୍ଡକୁ ରକ୍ତ ସରବରାହ କରୁଥିବା ରକ୍ତ ନଳୀ କୌଣସି କାରଣରୁ ବନ୍ଦ ହୋଇଗଲେ ମାଂସପେଶୀ (ମାୟୋକାର୍ଡିଅମ୍) ରକ୍ତ ନ ପାଇ ମରିଯାଆନ୍ତି । ସାଧାରଣତଃ ଏହି ରକ୍ତ ନଳୀରେ କୋଲେଷ୍ଟେରଲ୍, ଚର୍ବି ଜାତୀୟ ପଦାର୍ଥ ଓ ଶ୍ୱେତ ରକ୍ତ କଣିକା ଜମିଯାଆନ୍ତି । ଏହାକୁ ଆଥେରୋସ୍କ୍ଲେରୋଟିକ (Atherosclerotic plaque) ପ୍ଲେକ କହନ୍ତି । ଜମି ରହିଥିବା ଏହି ପ୍ଲେକ ସ୍ଥାନଚ୍ୟୁତ ହୋଇଗଲେ ସେହି ସ୍ଥାନଠାରୁ ଦୂରରେ ଥିବା ସରୁ ରକ୍ତ ନଳୀ ବନ୍ଦ ହୋଇଯାଏ । ଫଳ ସ୍ୱରୁପ ସେହି ସରୁ ରକ୍ତ ନଳୀ ସରବରାହ କରୁଥିବା ମାଂସପେଶୀ ଅମ୍ଳଜାନ ଅଭାବରୁ (Ischemia) ମରିଯାଆନ୍ତି ।
ଏହି ରୋଗର ମୂଖ୍ୟ ଲକ୍ଷଣ: ଅକସ୍ମାତ ତୀବ୍ର ଯନ୍ତ୍ରଣା ଛାତିରେ, ବାମ ବେକରେ ବା ବାମ ବାହୁରେ ଅନୁଭୁତ ହୁଏ । ଅଣନିଶ୍ୱାସୀ, ବାନ୍ତି ଲାଗିବା, ବାନ୍ତି କରିବା, ଝାଳ ବୋହିବା ଓ ଦୂର୍ଭ୍ୟାଗ୍ୟ ଅଦୃଷ୍ଟ ଭାବି ଉତ୍କଣ୍ଠିତ ହେବା ଏହି ରୋଗର ଅନ୍ୟ ଲକ୍ଷଣ ସମୂହ ଅଟେ[17] । ମହିଳାମାନେ ପୁରୁଷମାନଙ୍କ ଅପେକ୍ଷା କମ ଅସୁବିଧା ଭୋଗନ୍ତି । ଏମାନେ ସାମାନ୍ୟ ଅଣନିଶ୍ୱସୀ, ବଦହଜମୀ, ଦୁର୍ବଳତା ଓ କ୍ଳାନ୍ତି ଅନୁଭବ କରନ୍ତି[18] । ଅନେକ ରୋଗୀଙ୍କ ନିରବ ଲକ୍ଷଣ ହୁଏ, ଅର୍ଥାତ ଛାତି ଯନ୍ତ୍ରଣା ବା ଅନ୍ୟ କୌଣସି ଅସୁବିଧା ହୁଏ ନାହିଁ[19] ।
ହୃତ୍ପିଣ୍ଡ ମାଂସପେଶୀର ଅବସ୍ଥା ନିର୍ଣ୍ଣୟ କରିବା ନିମନ୍ତେ ବିଭିନ୍ନ ପରୀକ୍ଷା ଯଥା ଇ.ସି.ଜି, ଇକୋକାର୍ଡିଓଗ୍ରାଫି, କାର୍ଡିଆକ ଏମ୍,ଆର,ଆଇ, ଓ କେତେକ ରକ୍ତ ପରୀକ୍ଷା ଆବଶ୍ୟକ ହୁଏ । ସାଧାରଣ ଭାବରେ ବ୍ଲଡ ମାର୍କର୍ (blood markers) ଯଥା କ୍ରିଏଟିନ୍ କାଇନେଜ୍ (creatine kinase-MB (CK-MB) fraction) ଏବଂ ଟ୍ରୋପୋନିନ୍ ସ୍ତର (the troponin levels) ନିର୍ଣ୍ଣୟ କରାଯାଏ । ଏହି ରୋଗ ସନ୍ଦେହ ହେଲେ ତୁରନ୍ତ ଅମ୍ଳଜାନ, ଆସ୍ପିରିନ୍ ଓ ଜିଭତଳ ନାଇଟ୍ରୋଗ୍ଲିସେରିନ୍ ଦରକାର ହୁଏ[20]।
ଇ.ସି.ଜି.ରେ ଏସ୍.ଟି ତରଙ୍ଗ ଉଚ୍ଚରେ ଥିଲେ ଅଧିକାଂଶ କ୍ଷେତ୍ରରେ କରୋନାରୀ ଆଞ୍ଜିଓପ୍ଲାସ୍ଟି (PCI) ବା ଥ୍ରୋମ୍ବୋଲାଇସିସ୍[21] ଚିକିତ୍ସା କରାଯାଉଛି । ଏସ୍.ଟି. ତରଙ୍ଗ ଉର୍ଦ୍ଧ୍ୱଗାମୀ ନ ଥିଲେ ଔଷଧ ଚିକିତ୍ସା କରାଯାଏ, କିନ୍ତୁ ଦରକାର ହେଲେ ଆଞ୍ଜିଓପ୍ଲାସ୍ଟି କରାଯାଏ[22] । ବିଭିନ୍ନ ରକ୍ତ ନଳୀ ସରୁ ବା ବନ୍ଦ ହୋଇଥିଲେ ବାଇପାସ୍ (CABG) ଅପରେଶନ ଆବଶ୍ୟକ ହୁଏ, ଅଧିକ ଆବଶ୍ୟକ ହୁଏ ଯଦି ମଧୁମେହ ରୋଗ ଥାଏ[23][24] । ସାଂଘାତିକ ହୋଇଥିଲେ ପ୍ରଥମରୁ ସିଏବିଜି (CABG) ଅପରେଶନ କରାଯାଏ ନାହିଁ । ଯଦି ପିସିଆଇ (PCI) ଫେଲ ହୁଏ ବା କରିବା ଯୋଗ୍ୟ ନ ହୁଏ ତାହା ହେଲେ ସିଏବିଜି (CABG) କରାଯାଇପାରେ[25] ।
ପୃଥିବୀରେ ୨୦୦୪ ମସିହାରେ ମୃତ୍ୟୁର ମୂଖ୍ୟ କାରଣ ରୂପେ 'ମାୟୋକାର୍ଡିଆଲ୍ ଇନଫାର୍କ୍ସନ୍ ଯୋଗୁ ଆଞ୍ଜିନା ଓ ହୃଦ୍ରୋଧ' ପରିଚିତ ଥିଲା[26] । ଏହି ରୋଗର ସଙ୍କଟଜନକ ସହଗାମୀ ଅବସ୍ଥା ମଧ୍ୟରେ ଅନ୍ୟ ହୃଦ୍ରୋଗ, ଧୂମ୍ରପାନ, ବୃଦ୍ଧାବସ୍ଥା, ରକ୍ତରେ ଏଲ୍.ଡି.ଏଲ୍. ଓ ଟ୍ରାଇଗ୍ଲିସେରାଇଡ୍ ଅଧିକ ବା ଏଚ୍.ଡି.ଏଲ୍. କମ୍ ଥିଲେ, ମଧୁମେହ, ଉଚ୍ଚ ରକ୍ତଚାପ, ବ୍ୟାୟାମ ବିହୀନ ଅବସ୍ଥା, ପୃଥୁଳତା, ପୁରୁଣା ବୃକକ ରୋଗ, ଅତ୍ୟଧିକ ମଦ୍ୟପାନ, କୋକେନ ଭଳି ନିଷିଦ୍ଧ ଔଷଧ ସେବନ ଓ ଅତ୍ୟଧିକ ଚାପଗ୍ରସ୍ତ ଅନ୍ୟତମ[27][28][29]