ଉଚ୍ଚ ରକ୍ତଚାପ
ଏକ ସ୍ଥାୟୀ ଭେଷଜ ରୋଗ ଯେଉଁଥିରେ ରକ୍ତଚାପ ନିରନ୍ତର ବୃଦ୍ଧି ପାଇଥାଏ / From Wikipedia, the free encyclopedia
ଉଚ୍ଚ ରକ୍ତଚାପ (ଇଂରାଜୀ ଭାଷାରେ ହାଇପର୍ଟେନ୍ସନ୍ ବା HTN ବା HT) ବା ଧମନୀ ଉଚ୍ଚ ରକ୍ତଚାପ ଏକ ସ୍ଥାୟୀ ଭେଷଜ ରୋଗ ଯେଉଁଥିରେ ରକ୍ତଚାପ ନିରନ୍ତର ବୃଦ୍ଧି ପାଇଥାଏ ।[1] ଏହି ରୋଗରେ ସାଧାରଣତଃ କୌଣସି ଲକ୍ଷଣ ପ୍ରକାଶ ପାଏନାହିଁ ।[2] ଦୀର୍ଘକାଳୀନ ଉଚ୍ଚ ରକ୍ତଚାପ ରହିଲେ କେତେକ ରୋଗ ସଙ୍କଟ ସୃଷ୍ଟି ହୁଏ ଯଥା:- କରୋନାରୀ ଧମନୀ ରୋଗ, ସ୍ଟ୍ରୋକ୍, ହୃଦ୍ଘାତ, ପ୍ରାନ୍ତୀୟ ରକ୍ତନଳୀ ରୋଗ, ଦୃଷ୍ଟିହାନୀ ଓ କ୍ରନିକ ବୃକ୍କ ରୋଗ ।[3][4]
ଉଚ୍ଚ ରକ୍ତଚାପ | |
---|---|
ଶ୍ରେଣୀବିଭାଗ ଓ ବାହାର ସ୍ରୋତ | |
ସ୍ପେଶାଲିଟି | family medicine[*], hypertensiology[*] |
ଆଇସିଡ଼ି-୧୦ | I10.,I11.,I12., I13.,I15. |
ଆଇସିଡ଼ି-୯-ସିଏମ୍ | 401 |
ଓଏମ୍ଆଇଏମ୍ | 145500 |
ରୋଗ ଡାଟାବେସ | 6330 |
ମେଡ଼ିସିନ-ପ୍ଲସ | 000468 |
ଇ-ମେଡ଼ିସିନ | med/1106 ped/1097 emerg/267 |
Patient UK | ଉଚ୍ଚ ରକ୍ତଚାପ |
MeSH | D006973 |
ଏହି ରୋଗଟି ଦୁଇ ଶ୍ରେଣୀରେ ବିଭକ୍ତ କରାଯାଏ ଯଥା:- ପ୍ରାଥମିକ ବା ଅନିବାର୍ଯ୍ୟ ଉଚ୍ଚ ରକ୍ତଚାପ (primary or essential hypertension) ଓ ଗୌଣ ଉଚ୍ଚ ରକ୍ତଚାପ (secondary hypertension) ।[5] ଅନିବାର୍ଯ୍ୟ ଉଚ୍ଚ ରକ୍ତଚାପ ୯୦ରୁ ୯୫ % ଲୋକଙ୍କର ଅନିର୍ଦ୍ଦିଷ୍ଟ ଜୀବନଚର୍ଯ୍ୟା ଓ ଜେନେଟିକ କାରଣ ଯୋଗୁ ହୁଏ ।[5][6] ଜୀବନଚର୍ଯ୍ୟା କାରଣ ଯଥା:- ଅତ୍ୟଧିକ ଲୁଣ ଖାଇବା, ଅତ୍ୟଧିକ ଓଜନ ବୃଦ୍ଧି, ଧୂମ୍ରପାନ ଓ ଆଲକୋହୋଲ ସେବନ ଯୋଗୁ ଏହି ରୋଗ ସଙ୍କଟ ସୃଷ୍ଟି ହୁଏ ।[2][5] ବଳକା ୫ରୁ ୧୦% ରୋଗକୁ ସେକଣ୍ଡାରୀ ବା ଗୌଣ ଉଚ୍ଚ ରକ୍ତଚାପ ନାମିତ କରାଯାଏ ଯାହାର ନିର୍ଦ୍ଦିଷ୍ଟ କାରଣ ଥାଏ ଯେପରିକି କ୍ରନିକ ବୃକ୍କ ରୋଗ, ବୃକ୍କ ଧମନୀ ସ୍ଟେନୋସିସ୍, ଅନ୍ତସ୍ରାବୀ ଗ୍ରନ୍ଥୀ ରୋଗ ଓ ଜନ୍ମ ନିରୋଧ ବଟିକା ସେବନ । [5]
ଏହି ବୃଦ୍ଧି ଯୋଗୁ ହୃତ୍ପିଣ୍ଡକୁ ଅଧିକ କାର୍ଯ୍ୟ କରିବାକୁ ପଡ଼ିଥାଏ । ଦୁଇ ପ୍ରକାରର ମାପଦ୍ୱାରା ଉଚ୍ଚ ରକ୍ତଚାପ ଲେଖାଯାଏ, ଗୋଟିଏ ସିସ୍ଟୋଲିକ (ହୃତ୍ପିଣ୍ଡ ସଙ୍କୋଚନ ବେଳର ସର୍ବୋଚ୍ଚ) ଓ ଅନ୍ୟଟି ଡାୟାସ୍ଟୋଲିକ (ହୃତ୍ପିଣ୍ଡ ଶୀଥିଳ ବେଳର ସର୍ବନିମ୍ନ) ।[2] ବିଶ୍ରାମ ସମୟରେ ଗୋଟିଏ ସୁସ୍ଥ ଲୋକର ସିସ୍ଟୋଲିକ ଚାପ ୧୦୦ରୁ ୧୪୦ ମି.ମି. ପାରଦ ଓ ଡାୟାସ୍ଟୋଲିକ ଚାପ ୬୦ରୁ ୯୦ ମି.ମି ପାରଦ ଭିତରେ ଥିଲେ ରକ୍ତଚାପ ସାଧାରଣ ଭାବେ ବିବେଚିତ ହୁଏ ।[7] ଏହା ଏକ ଭଗ୍ନାଂଶ ଆକାରରେ ଲେଖାଯାଏ ଓ ଉପରେ ସିସ୍ଟୋଲିକ ଓ ତଳେ ଡାୟାସ୍ଟୋଲିକ ଚାପ ସଂଖ୍ୟା ଲେଖି ମିମି ପାରଦ ଲେଖାଯାଏ । ଯୁବକମାନଙ୍କର ରକ୍ତଚାପ ୧୪୦/୯୦ ମି.ମି.ପାରଦରେ ବା ତାହା ଉପରେ ନିରନ୍ତର ରହିଲେ ତାହାକୁ ଉଚ୍ଚ ରକ୍ତଚାପ ଆଖ୍ୟା ଦିଆଯାଏ । [5] ପିଲାଙ୍କ କ୍ଷେତ୍ରରେ ଏହାର ପରିବର୍ତ୍ତନ ହୋଇଥାଏ ।[8] ସାଧାରଣ ରକ୍ତଚାପ ରେକର୍ଡ଼ ଅପେକ୍ଷା ୨୪ ଘଣ୍ଟାର ରକ୍ତଚାପ ମନିଟରିଙ୍ଗରେ (Ambulatory blood pressure monitoring) ଅଧିକ ଶୁଦ୍ଧ ବା ସଠିକ ମାପ ଜଣାଯାଏ ।[1][5]
ଔଷଧ ଓ ଜୀବନଚର୍ଯ୍ୟାର ପରିବର୍ତ୍ତନ ଯୋଗୁ ରକ୍ତଚାପ କମିଯିବା ଫଳରେ ସ୍ୱାସ୍ଥ୍ୟ ସଙ୍କଟ ଟଳିଯାଏ ।[9] ଅଳ୍ପ ଲୁଣ ଖାଇବା, ଓଜନ କମେଇବା, ବ୍ୟାୟାମ କରିବା ଓ ସ୍ୱାସ୍ତ୍ୟପ୍ରଦ ଖାଦ୍ୟ ଖାଇବାକୁ ଜୀନନଚର୍ଯ୍ୟା ପରିବର୍ତ୍ତନ କୁହାଯାଏ ।[5] ଜୀନନଚର୍ଯ୍ୟା ପରିବର୍ତ୍ତନ ଫଳରେ ପରିବର୍ତ୍ତନ ନ ହେଲେ ରକ୍ତଚାପ ଔଷଧ ଖାଇବାକୁ ପଡ଼େ । [9] ଶତକଡ଼ା ନବେ ଭାଗ ଲୋକଙ୍କର ତିନୋଟି ଔଷଧଦ୍ୱାରା ଏହି ରୋଗ ନିୟନ୍ତ୍ରିତ ହୋଇଯାଏ ।[5] ମଧ୍ୟମ ରକ୍ତଚାପ ୧୬୦/୧୦୦ମିମି ପାରଦରୁ ଅଧିକ ହୋଇଥିଲେ ଔଷଧ ଖାଇବାଦ୍ୱାରା ଉନ୍ନତ ଆୟୁଷ ଆଶା କରାଯାଏ । [10] ୧୪୦/୯୦ ମିମି ପାରଦ ଓ ୧୬୦/୧୦୦ ମିମି ପାରଦ ମଧ୍ୟରେ ଥିବା ରକ୍ତଚାପରେ ଔଷଧର ଉପକାରୀତା ସ୍ପଷ୍ଟ ନୁହେଁ ଯଦିଓ କେତେକଙ୍କ ମତରେ ଉପକାର ହୁଏ[11][12] କିନ୍ତୁ ଅନ୍ୟ କେତେକ କୌଣସି ଉପକାର ପାଆନ୍ତି ନାହିଁ ।[13] ପୃଥିବୀର ୧୬ରୁ ୩୭% ଲୋକଙ୍କୁ ଏହି ରୋଗ ଆକ୍ରମଣ କରେ ।[5] ସନ ୨୦୧୦ରେ ଏହି ରୋଗ ୧୮% ବା ୯.୪ ନିୟୁତ ଲୋକଙ୍କର ମୃତ୍ୟୁର କାରଣ ହୋଇଥିଲା ।[14]