ହିମାଳୟ
ପର୍ବତ ଶ୍ରେଣୀ / From Wikipedia, the free encyclopedia
ହିମାଳୟ ପର୍ବତଶ୍ରେଣୀ ବା ହିମାଳୟ ପର୍ବତମାଳା ବା କେବଳ ହିମାଳୟ (ଇଂରାଜୀରେ Himalayas) ଏସିଆ ମହାଦେଶର ଏକ ପର୍ବତଶ୍ରେଣୀ ଯାହା ଭାରତୀୟ ଉପମହାଦେଶ ଓ ତିବ୍ବତୀୟ ମାଳଭୂମି ମଧ୍ୟରେ ଅବସ୍ଥିତ ।
ହିମାଳୟ ପର୍ବତଶ୍ରେଣୀ | |
---|---|
Elevation | ୮୮୫୦ ମିଟର୍ |
Location | |
Coordinates | 27°59′N 86°55′E |
ପୃଥିବୀର ଅନେକ ଉଚ୍ଚ ଗିରିଶୃଙ୍ଗ ଏହି ପର୍ବତମାଳାର ଅଂଶବିଶେଷ । ତନ୍ମଧ୍ୟରୁ ବିଶ୍ୱର ସର୍ବୋଚ୍ଚ ଗିରିଶୃଙ୍ଗ ଏଭେରେଷ୍ଟ୍ ଅନ୍ୟତମ । ହିମାଳୟ ପର୍ବତମାଳାରେ ୫୦ରୁ ଅଧିକ ପର୍ବତ ରହିଛି ଯାହାର ସମୁଦ୍ରପତନରୁ ଉଚ୍ଚତା ୭୨୦୦ ମିଟର୍ ବା ତତୋଧିକ । ୮୦୦୦ ମିଟର୍ରୁ ଉଚ୍ଚ ୧୪ଟି ଶୃଙ୍ଗ ମଧ୍ୟରୁ ୧୦ଟି ହିମାଳୟରେ ରହିଛି । ଏସିଆ ବାହାରେ ରହିଥିବା ସର୍ବୋଚ୍ଚ ଗିରିଶୃଙ୍ଗ ହେଉଛି ଆଣ୍ଡିଜ୍ ପର୍ବତମାଳାର ଆକାଙ୍କାଗୁଆ (୬୯୬୧ ମିଟର୍) ।[1]
ଭାରତୀୟ ପ୍ଲେଟ୍ ସଞ୍ଚାଳିତ ହୋଇ ୟୁରେସିଆ ପ୍ଲେଟ୍ ସହିତ ଧକ୍କା ହେବା ପରେ ଦୁଇଟି ପ୍ଲେଟ୍ ଯଥାକ୍ରମେ ନିମ୍ନ ଓ ଉର୍ଦ୍ଧ୍ୱଗାମୀ ହେଲେ ଓ ସେଥିରୁ ହିମାଳୟ ସୃଷ୍ଟି ହୋଇଥିଲା । ହିମାଳୟ ପର୍ବତମାଳା ପଶ୍ଚିମ-ଉତ୍ତରପଶ୍ଚିମ ଓ ପୂର୍ବ-ଦକ୍ଷିଣପୂର୍ବ ଦିଗରେ ୨୪୦୦ କିଲୋମିଟର୍ ବ୍ୟାପ୍ତ ଏକ ବିଶାଳ ତୋରଣ ପରି ।[2] ହିମାଳୟର ପଶ୍ଚିମସୀମା ହେଉଛି “ନଙ୍ଗା ପର୍ବତ”, ଯାହା ସିନ୍ଧୁ ନଦୀର ଉତ୍ତରତମ ବାଙ୍କର ଠିକ୍ ଦକ୍ଷିଣପଟକୁ ଅବସ୍ଥିତ । ହିମାଳୟର ପୂର୍ବ ସୀମା “ନାମ୍ଚା ବରୁଆ” ୟାର୍ଲୁଂ ତ୍ସାଂଗପୋ ନଦୀର (ନିଜର ଉପରମୁଣ୍ଡରେ ବ୍ରହ୍ମପୁତ୍ର ନଦୀ ଏହି ନାମରେ ଜଣାଶୁଣା) ବଡ଼ ବାଙ୍କର ଠିକ୍ ପଶ୍ଚିମ ପଟକୁ ରହିଛି । ହିମାଳୟର ଉତ୍ତର-ପୂର୍ବ ଦିଗକୁ କାରାକୋରମ୍ ଓ ହିନ୍ଦୁକୁଶ ପର୍ବତଶ୍ରେଣୀ ରହିଛନ୍ତି । ୫୦-୬୦ କିଲୋମିଟର୍ ପ୍ରସ୍ଥ ବିଶିଷ୍ଟ “ଇଣ୍ଡସ୍-ତ୍ସାଙ୍ଗପୋ ସୁଚ୍ୟର୍” ନାମକ ଟେକ୍ଟୋନିକ୍ ଉପତ୍ୟକା ହିମାଳୟର ଉତ୍ତରାଂଶକୁ ତିବ୍ବତୀୟ ମାଳଭୂମିଠାରୁ ବିଚ୍ଛିନ୍ନ କରୁଛି ।[3] ହିମାଳୟ ବଳୟର ଦକ୍ଷିଣ ପଟକୁ ଗାଙ୍ଗେୟ ସମତଳ ଭୂମି ଅବସ୍ଥିତ ।[4] ପଶ୍ଚିମ ପାକିସ୍ତାନରେ ହିମାଳୟ ପର୍ବତଶ୍ରେଣୀର ପ୍ରସ୍ଥ ୩୫୦ କି.ମି. ହୋଇଥିବା ବେଳେ ପୂର୍ବରେ (ଅରୁଣାଚଳ ପ୍ରଦେଶ) ଏହାର ପ୍ରସ୍ଥ ପ୍ରାୟ ୧୫୦ କି.ମି. ।[5] ଯଦିଓ ହିମାଳୟ ଏସିଆର ଅନ୍ୟାନ୍ୟ ଉଚ୍ଚ ପର୍ବତଶ୍ରେଣୀଙ୍କଠାରୁ ପୃଥକ୍, କିନ୍ତୁ ବ୍ୟବହାରିକ ଇଂରାଜୀ ଶବ୍ଦ “ଗ୍ରେଟର୍ ହିମାଲୟା (Greater Himalaya)” କାରାକୋରମ୍ ଓ ଅନ୍ୟ କିଛି ପର୍ବତଶ୍ରେଣୀକୁ ମିଳିତ ଭାବେ ବୁଝାଇଥାଏ ।
ହିମାଳୟରେ ପ୍ରାୟ ୫୨୭ ଲକ୍ଷ ଲୋକ ବସବାସ କରନ୍ତି[5] ଯେଉଁମାନେ ନେପାଳ, ଭାରତ, ଭୁଟାନ, ଚୀନ ଓ ପାକିସ୍ତାନ ଆଦି ଦେଶର ନାଗରିକ । ବିଶ୍ୱର କିଛି ପ୍ରମୁଖ ନଦୀ ଯଥା – ସିନ୍ଧୁ ନଦୀ, ଗଙ୍ଗା ନଦୀ, ୟାର୍ଲୁଂ-ତ୍ସାଂଗପୋ ନଦୀ (ବା ବ୍ରହ୍ମପୁତ୍ର ନଦୀ) ହିମାଳୟରୁ ବାହାରି ତଳକୁ ପ୍ରବାହିତ ହୁଅନ୍ତି ଓ ଏମାନଙ୍କ ଅବବାହିକାରେ ପାଖାପାଖି ୬୦୦ ଲକ୍ଷ ଲୋକ ବସବାସ କରନ୍ତି । ଭାରତର ଜଳବାୟୁ ଉପରେ ହିମାଳୟର ଖୁବ୍ ପ୍ରଭାବ ରହିଛି । ହିମାଳୟ ଯୋଗୁଁ ମୌସୁମୀ ବାୟୁ ଭାରତୀୟ ଉପମହାଦେଶରୁ ଖସି ତିବ୍ବତୀୟ ଉଚ୍ଚଭୂମିକୁ ଯାଇପାରେ ନାହିଁ । ପୁଣି ଭାରତୀୟ ଉପମହାଦେଶର ସଂସ୍କୃତିରେ ମଧ୍ୟ ହିମାଳୟର ଗଭୀର ଛାପ ରହିଛି ; ହିନ୍ଦୁ ଧର୍ମ ଓ ବୌଦ୍ଧ ଧର୍ମରେ ହିମାଳୟର ଶୃଙ୍ଗମାନଙ୍କୁ ପବିତ୍ର ବୋଲି କୁହାଯାଇଛି ।