ସାପକାମୁଡ଼ା
From Wikipedia, the free encyclopedia
ସାପକାମୁଡ଼ା ଏକ ଆଘାତର ନାମ ଯାହା ସାପ କାମୁଡ଼ିବା ଯୋଗୁ ହୁଏ । ସାପର ଦୁଇ ଦାନ୍ତର କାମୁଡ଼ା ଯୋଗୁ ଏହି କ୍ଷୁଦ୍ର ଗର୍ତ୍ତ ଆଘାତ ହୁଏ । [1] ଅନେକ ସମୟରେ ଏହି କାମୁଡ଼ିବା ଯୋଗୁ ବିଷାକ୍ତ ଇଞ୍ଜେକସନ ଦାନ୍ତଦ୍ୱାରା ଦେହକୁ ଯାଏ ।[2] କାମୁଡ଼ା ସ୍ଥାନ ଲାଲ ଦେଖାଯାଏ, ଫୁଲିଯାଏ ଓ ଅସହ୍ୟ ଯନ୍ତ୍ରଣା ହୁଏ ଓ ଏହି ସବୁ ଲକ୍ଷଣ ବାହାରିବା ନିମନ୍ତେ ଏକ ଘଣ୍ଟା ଲାଗିପାରେ । ଏହା ଫଳରେ ବାନ୍ତି, ଦୃଷ୍ଟିଶକ୍ତି ହ୍ରାସ, ଅବୟବରେ ଝିମଝିମ ଅନୁଭବ ହୁଏ ।[1][3] ଅଧିକାଂଶ କାମୁଡ଼ା ଉପର ଅବୟବର ହାତ ବା ବାହୁରେ ଦେଖାଯାଏ ।[3] କାମୁଡ଼ା ପରେ ଭୟ ଜାତ ହୁଏ, ଦୃତ ହୃତ୍ ସ୍ପନ୍ଦନ ଓ ମୂର୍ଚ୍ଛାଳିଆ ଅନୁଭବ ହୁଏ । [3] ସାପବିଷ ବା ଭେନମ ଯୋଗୁ ରକ୍ତସ୍ରାବ, ବୃକ୍କ ଫେଲ, ଅତ୍ୟଧିକ ଆଲର୍ଜି, ତନ୍ତୁମୃତ୍ୟୁ ହୁଏ ଓ ଶ୍ୱାସକ୍ରିୟା ପ୍ରଭାବିତ ହୁଏ ।[2][1] ସାପକାମୁଡ଼ା ଫଳରେ ଅବୟବ ହାନୀ ବା ଅନ୍ୟ କ୍ରନିକ ଅସୁବିଧା ହୋଇପାରେ । [2] କାମୁଡ଼ାର ଫଳାଫଳ ସାପର ପ୍ରକାର, କାମୁଡ଼ା ସ୍ଥାନ, ବିଷର ପରିମାଣ ଓ ରୋଗୀର ସ୍ୱାସ୍ଥ୍ୟାବସ୍ଥା ଉପରେ ନିର୍ଭର କରେ । [4] ବଡ଼ ମଣିଷଙ୍କ ଅପେକ୍ଷା ପିଲାଙ୍କର ଅଧିକ କ୍ଷତି ହୁଏ । [2]
ସାପକାମୁଡ଼ା | |
---|---|
ଶ୍ରେଣୀବିଭାଗ ଓ ବାହାର ସ୍ରୋତ | |
ସ୍ପେଶାଲିଟି | Emergency medicine |
ଆଇସିଡ଼ି-୧୦ | T63.0, T14.1, W59 (nonvenomous), X20 (venomous) |
ଆଇସିଡ଼ି-୯-ସିଏମ୍ | 989.5, E905.0, E906.2 |
ରୋଗ ଡାଟାବେସ | 29733 |
ମେଡ଼ିସିନ-ପ୍ଲସ | 000031 |
ଇ-ମେଡ଼ିସିନ | med/2143 |
MeSH | D012909 |
ସାପମାନେ ନିଜ ସୁରକ୍ଷା ଓ ଖାଦ୍ୟ ନିମନ୍ତେ କାମୁଡ଼ନ୍ତି ।[5] ଘରଠାରୁ ବାହାରେ ଯେପରିକି କ୍ଷେତରେ, ଜଙ୍ଗଲରେ ବା ଶ୍ରମିକ ଭାବେ ନିର୍ମାଣ ସ୍ଥାନରେ ଖାଲି ହାତ ବ୍ୟବହାର କରି କାମ କଲେ କାମୁଡ଼ା ସଙ୍କଟ ରହେ । [2][1] ବିଷ ପ୍ରୟୋଗକାରୀ ସାପ ମଧ୍ୟରେ ଏଲାପିଡି, ଭାଇପର ଓ ସାମୁଦ୍ରିକ ସାପ ପ୍ରଧାନ ।[6] ଅଧିକାଂଶ ସାପଙ୍କର ବିଷ ନ ଥାଏ ଓ ସେମାନେ ଶିକାରକୁ ଚିପିକରି ମାରିଦିଅନ୍ତି ।[3] ବିଷାକ୍ତ ସାପ ଆଣ୍ଟାର୍କଟିକା ମହାଦେଶକୁ ଛାଡ଼ି ବାକି ପୃଥିବୀର ସବୁ ସ୍ଥାନରେ ରହନ୍ତି । [5] କାମୁଡ଼ିଥିବା ସାପର ପ୍ରକାର ଜାଣିବା ଅଧିକାଂଶ ସମୟରେ ସମ୍ଭବ ନୁହେଁ ।[6] ସାପକାମୁଡ଼ାକୁ ଏକ ଅବହେଳିତ ରୋଗ ରୂପେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସୂଚୀବଦ୍ଧ କରିଛନ୍ତି । [7]
ସାପକାମୁଡ଼ାର ଶିକାର ନ ହେବା ନିମନ୍ତେ ସୁରକ୍ଷାକାରୀ ଜୋତା ପିନ୍ଧିବା, ସାପଙ୍କ ସ୍ଥାନ ବର୍ଜନ କରିବା ଓ ସାପଙ୍କ ସହିତ ନ ଖେଳିବା ଇତ୍ୟାଦି ଉପଦେଶ ମାନିବା ଆବଶ୍ୟକ । ସାପର ପ୍ରକାର ଅନୁସାରେ ଚିକିତ୍ସା କରାଯାଏ ।[1] କାମୁଡ଼ା ଜାଗାକୁ ସାବୁନ ପାଣିରେ ଭଲରୂପେ ଧୋଇ ଯଥା ସମ୍ଭବ ସ୍ଥିର ରଖିବା ଆବଶ୍ୟକ । [1][6] ସାପବିଷକୁ ଶୋଷିବା, ଛୁରୀରେ କାଟିବା ଓ କ୍ଷତ ଉପର ସ୍ଥାନକୁ ([ଟ୍ୟୁନିକେଟ]) ବାନ୍ଧିବାକୁ ସୁପାରିସ କରାଯାଏ ନାହିଁ । [1] ଆଣ୍ଟିଭେନମ ଦେଇ ମୃତ୍ୟୁ ମୁଖରୁ ରକ୍ଷା କରାଯାଇପାରେ କିନ୍ତୁ ଏହାର ପାର୍ଶ୍ୱପ୍ରତିକ୍ରିୟା ଥାଏ ।[8][2] ସାପ ଅନୁସାରେ ଆଣ୍ଟିଭେନମ ଆବଶ୍ୟକ ହୁଏ । ନିର୍ଦ୍ଦିଷ୍ଟ ସାପ ଚିହ୍ନା ନ ପଡ଼ିଲେ ସ୍ଥାନୀୟ ସାପ ଅନୁସାରେ ଆଣ୍ଟିଭେନମ ଦିଆଯାଏ । [6] ପୃଥିବୀର ଅନେକ ସ୍ଥାନରେ ସଠିକ ଆଣ୍ଟିଭେନମ ମିଳେନାହିଁ ଓ ଏହି କାରଣରୁ ଅନେକ ସମୟରେ ଏହା କାର୍ଯ୍ୟକାରୀ ହୁଏ ନାହିଁ । ଏହି ଔଷଧର ଅତ୍ୟଧିକ ମୂଲ୍ୟ ମଧ୍ୟ ଏକ ଚିନ୍ତାର ବିଷୟ ।[2] କାମୁଡ଼ା ସ୍ଥାନରେ ଆଣ୍ଟିଭେନମର କୌଣସି ପ୍ରଭାବ ନାହିଁ । ଶ୍ୱାସକ୍ରିୟା ସାହାଯ୍ୟକାରୀ ଯନ୍ତ୍ର ବେଳେ ବେଳେ ଦରକାର ହୁଏ । [6]
ବାର୍ଷିକ ପ୍ରାୟ ୫ ନିୟୁତ ଲୋକଙ୍କୁ ସାପ କାମୁଡ଼େ । [2] ଏହା ଫଳରେ ୨.୫ ନିଯୁତ ଲୋକ ସାପବିଷରେ ଆକ୍ରାନ୍ତ ହୁଅନ୍ତି ଓ ୨୦,୦୦୦ରୁ ୧୨୫,୦୦୦ ଲୋକଙ୍କର ମୃତ୍ୟୁ ହୁଏ । [5][2] ସ୍ଥଳ ବିଶେଷରେ ପୃଥିବୀରେ କାମୁଡ଼ା ହାର ପୃଥକ ହୁଏ ।[5] ଏସିଆ, ଆଫ୍ରିକା ଓ ଲାଟିନ ଆମେରିକାରେ ଅଧିକ ସାପ କାମୁଡ଼ା ରିପୋର୍ଟ ମିଳେ[2] ଓ ଗ୍ରମୀଣ ଇଲାକାରେ ଅଧିକ ହୁଏ ।[2] ଆମେରିକାରେ ପ୍ରତି ବର୍ଷ ପ୍ରାୟ ୭ରୁ ୮ ହଜାର ବିଷାକ୍ତ ସର୍ପ କାମୁଡ଼ନ୍ତି ।[1] ଅଷ୍ଟ୍ରେଲିଆ, ୟୁରୋପ ଓ ଉତ୍ତର ଆମେରିକାରେ ଏହା ଯୋଗୁ କ୍ୱଚିତ ମୃତ୍ୟୁ ହୁଏ ।[5][9][8]