ଗର୍ଭାବସ୍ଥା
ଏକ ସମୟ ଯେତେବେଳେ ଜଣେ ମହିଳାଙ୍କ ଗର୍ଭରେ ଏକ ନୂତନ ଶିଶୁ ସୃଷ୍ଟି ହୁଏ / From Wikipedia, the free encyclopedia
ଗର୍ଭାବସ୍ଥା, (ଅନ୍ୟ ନାମ ପ୍ରେଗନାନ୍ସି ବା ଗ୍ରାଭିଡିଟି ବା ଜେସ୍ଟାସନ, ଇଂରାଜୀରେ ଯଥାକ୍ରମେ Pregnancy or gravidity or gestation) ଏକ ସମୟ ଯେତେବେଳେ ଜଣେ ମହିଳାଙ୍କ ଗର୍ଭରେ ଏକ ନୂତନ ଅପତ୍ୟ (offspring) ସୃଷ୍ଟି ହୁଏ । [1] ଯାଆଁଳା ନାମ ଦିଆଯାଏ ଯେତେବେଳେ ଏକାଧିକ ଶିଶୁ ଗର୍ଭରେ ସୃଷ୍ଟି ହୁଅନ୍ତି । [2] ଯୌନ ସମ୍ଭୋଗ କିମ୍ବା ସାହାଯ୍ୟକାରୀ ପ୍ରଜନନ ପ୍ରକ୍ରିୟାଦ୍ୱାରା ଗର୍ଭାଧାନ ହୋଇପାରେ । ସାଧାଣତଃ ଏଲ.ଏମ.ପି. ବା ଶେଷ ଋତୁସ୍ରାବଠାରୁ ଶିଶୁ ଜନ୍ମ ପର୍ଯ୍ୟନ୍ତ ୪୦ ସପ୍ତାହ ଧରି ଏହି ସମୟ ବା ଗର୍ଭାବସ୍ଥା ରହେ । [1][3] ଚାନ୍ଦ୍ର ମାସ ଅନୁସାରେ ଏହି ସମୟ ୯ ମାସରୁ ଅଧିକ ହୁଏ ଯେ ହେତୁ ଏହି ମାସର ଅବଧି ୨୯ ୧/୨ ଦିନ ଥାଏ । [1][3] ଗର୍ଭାଧାନ (fertilisation) ସମୟରୁ ହିସାବ କଲେ ଏହା ୩୮ ସପ୍ତାହ ହୁଏ । ଗର୍ଭାଧାନରୁ ପ୍ରଥମ ୮ ସପ୍ତାହ ପର୍ଯ୍ୟନ୍ତ ଗର୍ଭସ୍ଥ ଶିଶୁକୁ ଭୃଣ (embryo) କୁହାଯାଏ ଓ ତା ପରେ ଜନ୍ମ ପର୍ଯ୍ୟନ୍ତ ଫିଟସ (fetus) କୁହାଯାଏ ।[3] ଗର୍ଭାବସ୍ଥାର ପ୍ରଥମ ସମୟରେ ଋତୁସ୍ରାବ ବନ୍ଦ ହୋଇଯାଏ, ସ୍ତନ ଦରଜ ହୁଏ, ପ୍ରାତଃ ବେମାରୀ ବା ମର୍ନିଙ୍ଗ ସିକନେସ (ଅଇ ଓ ବାନ୍ତି) ହୁଏ, ଭୋକ ବେଶୀ ହୁଏ ଓ ବାରମ୍ବାର ପରିସ୍ରା ହୁଏ ।[4] ପ୍ରେଗନାନସି ଟେସ୍ଟ (pregnancy test) ବା ପରୀକ୍ଷା କରି ଗର୍ଭାଧାନ ହୋଇଛି କି ନାହିଁ ଜଣାଯାଏ ।[5]
ଗର୍ଭାବସ୍ଥା | |
---|---|
ଶ୍ରେଣୀବିଭାଗ ଓ ବାହାର ସ୍ରୋତ | |
ସ୍ପେଶାଲିଟି | midwifery[*] |
ଆଇସିଡ଼ି-୧୦ | Z33. |
ଆଇସିଡ଼ି-୯-ସିଏମ୍ | 650 |
ରୋଗ ଡାଟାବେସ | 10545 |
ମେଡ଼ିସିନ-ପ୍ଲସ | 002398 |
ଇ-ମେଡ଼ିସିନ | article/259724 |
MeSH | D011247 |
ଗର୍ଭାବସ୍ଥାକୁ ୩ଟି ତ୍ରୈମାସିକରେ ବିଭକ୍ତ କରାଯାଏ । ଡିମ୍ବାଣୁ ଓ ଶୁକ୍ରାଣୁ ମିଳନ ପରେ ନିଷିକ୍ତ ଡିମ୍ବାଣୁ ଫାଲୋପିଆନ ଟ୍ୟୁବରୁ ତଳକୁ ଖସି ଆସି ଜରାୟୁରେ ସଂଯୁକ୍ତ ହୋଇଯାଏ ଓ ସେଠାରେ ଫିଟସ ଓ ପ୍ଲାସେଣ୍ଟା ତିଆରି ହୁଏ । [1] ଏହି ପ୍ରଥମ ତ୍ରୈମାସିକ ସମୟରେ ସ୍ୱତଃ ଗର୍ଭପାତ (miscarriage) ବା ଭ୍ରୁଣ/ଫିଟସର ସ୍ୱାଭାବିକ ମୃତ୍ୟୁ ଅଧିକ ହୁଏ । [6] ତେର ସପ୍ତାହରୁ ୨୮ ସପ୍ତାହ ପର୍ଯ୍ୟନ୍ତ ସମୟକୁ ଦ୍ୱିତୀୟ ତ୍ରୈମାସିକ କୁହାଯାଏ । ତୃତୀୟ ତ୍ରୈମାସିକ ୨୯ ସପ୍ତାହରୁ ୪୦ ସପ୍ତାହକୁ କୁହାଯାଏ । [1]
ଗର୍ଭିଣୀର ପ୍ରସବପୂର୍ବ ଯତ୍ନ ଉପରେ ଗର୍ଭାବସ୍ଥାର ଫଳାଫଳ ନିର୍ଭର କରେ । [7] ଏହି ଯତ୍ନ ମଧ୍ୟରେ ଅଧିକ ଫଲିକ ଏସିଡ ଖାଇବା, ନିଶା ଦ୍ରବ୍ୟ ନିଷିଦ୍ଧ କରିବା, ନିୟମିତ ବ୍ୟାୟାମ କରିବା, ରକ୍ତ ପରୀକ୍ଷା ଓ ନିୟମିତ ଶାରୀରିକ ପରୀକ୍ଷା ଇତ୍ୟାଦି କରିବା ଆବଶ୍ୟକ । [7] ଗର୍ଭାବସ୍ଥା ଜଟିଳତା ମଧ୍ୟରେ ଗର୍ଭାବସ୍ଥା ଉଚ୍ଚ ରକ୍ତଚାପ, ଗର୍ଭାବସ୍ଥା ଡାଏବେଟିସ, ଲୌହ ଅଭାବ ଆନିମିଆ, ଓ ଅତ୍ୟଧିକ ଓକାଳ ଓ ବାନ୍ତି ହୁଏ । [8] ଟର୍ମ ଗର୍ଭାବସ୍ଥା ୩୭ରୁ ୪୧ ସପ୍ତାହକୁ କୁହାଯାଏ, ସହଳ ଟର୍ମ ୩୭ ଓ ୩୮ ସପ୍ତାହ, ସମ୍ପୂର୍ଣ୍ଣ ଟର୍ମ ୩୯ ଓ ୪୦ ସପ୍ତାହ ଓ ଲେଟ ଟର୍ମ ୪୧ ସପ୍ତାହ । ୪୧ ସପ୍ତାହ ପରେ ଗର୍ଭ ରହିଲେ ତାହାକୁ ପୋଷ୍ଟ ଟର୍ମ କୁହାଯାଏ । ୩୭ ସପ୍ତାହ ପୂର୍ବରୁ ଜନ୍ମିତ ଶିଶୁର ସେରେବ୍ରାଲ ପାଲ୍ସି ହେବା ସଙ୍କଟ ବଢ଼ିଯାଏ । [1] ୩୯ ସପ୍ତାହ ପୂର୍ବରୁ କୌଣସି ଡାକ୍ତରୀ କାରଣ ନ ଥାଇ ସିଜରିଆନ ସେକସନ ବା ପ୍ରସବ ପ୍ରେରଣ କରିବାକୁ ସୁପାରିସ କରାଯାଏ ନାହିଁ । [9]
ସନ୨୦୧୨ରେ ପୃଥିବୀରେ ପ୍ରାୟ ୨୧୩ ନିୟୁତ ଗର୍ଭଧାରଣ ହୋଇଥିଲା, ୧୯୦ ନିୟୁତ ବିକାଶଶୀଳ ଦେଶ ଓ ୨୩ ନିୟୁତ ବିକଶିତ ଦେଶମାନଙ୍କରେ ହୋଇଥିଲା । ପନ୍ଦରରୁ ୪୪ ବର୍ଷ ବଯସର ମହିଳାଙ୍କ ମଧ୍ୟରୁ ପ୍ରତି ଏକ ହଜାରରେ ୧୩୩ ମହିଳା ଗର୍ଭଧାରଣ କରିଥିଲେ । [10] ସେମାନଙ୍କ ମଧ୍ୟରୁ ୧୦ରୁ ୧୫ % ମହିଳାଙ୍କର ସ୍ୱତଃ ଗର୍ଭପାତ ହୋଇଥିଲା । [6] ସନ ୨୦୧୩ରେ ଗର୍ଭ ଜଟିଳତାରେ ୨୯୩,୦୦୦ ମୃତ୍ୟୁ ହୋଇଥିଲା ଓ ଏହା ସନ ୧୯୯୦ରେ ହୋଇଥିବା ୩୭୭,୦୦୦ ମୃତ୍ୟୁ ଅପେକ୍ଷା କମ ଥିଲା । ଏଥିରୁ ଅର୍ଦ୍ଧେକ ସଂଖ୍ୟା ଗର୍ଭପାତରେ ଶେଷ ହୁଏ । [10] ଆମେରିକାରେ ଗର୍ଭ ଧାରଣ କରୁଥିବା ମହିଳାଙ୍କ ମଧ୍ୟରୁ ୬୦ % ମହିଳା ଜନ୍ମ ନିରୋଧ ବଟିକା ବ୍ୟବହାର କରୁଥିଲେ । [11]