କର୍କଟ ରୋଗ
ଏକ ଅନିୟନ୍ତ୍ରିତ, ଅନିୟମିତ ଓ ଅସାଧାରଣ ଜୀବକୋଷ ବୃଦ୍ଧି ହେଉଥିବା ରୋଗ / From Wikipedia, the free encyclopedia
କର୍କଟ ରୋଗ ଏକ ପ୍ରକାର ଦୃତ ବୃଦ୍ଧି ସମ୍ପନ୍ନ ଅର୍ବୁଦ (ଇଂରାଜୀରେ Malignant tumour) ରୋଗ ଯେଉଁଥିରେ ଜୀବକୋଷମାନଙ୍କର ଅସ୍ୱଭାବିକ ଭାବରେ ଦୃତ ଗତିରେ ବୃଦ୍ଧି ପାଇଥାଏ ଏବଂ କେତେକ କ୍ଷେତ୍ରରେ ଶରୀରର ରୋଗଗ୍ରସ୍ତ ସ୍ଥାନରୁ ପାର୍ଶ୍ୱବର୍ତ୍ତୀ ସ୍ଥାନ ବା ଦୂରବର୍ତ୍ତୀ ସ୍ଥାନକୁ ରୋଗଗ୍ରସ୍ତ କୋଷଗୁଡ଼ିକ ସ୍ଥାନାନ୍ତରିତ ହେବାର ସମ୍ଭାବନା ଥାଏ ।[1][2] ସମସ୍ତ ଅର୍ବୁଦ କର୍କଟ ନୁହେଁ; ମୃଦୁ ଅର୍ବୁଦ (Benign tumour) ରୋଗ ଅଛି ଯାହା ଅନ୍ୟ ସ୍ଥାନକୁ ମାଡ଼ିଯାଏ ନାହିଁ । ପ୍ରଥମରୁ କୌଣସି ଆବୁ ଅନିୟନ୍ତ୍ରିତ ଭାବେ ବୃଦ୍ଧି ହୋଇନଥାଏ କିମ୍ବା ଅନ୍ୟ ପାଖାପାଖି କୋଷମାନଙ୍କୁ ଆକ୍ରାନ୍ତ କରିନଥାଏ । ସମ୍ଭାବ୍ୟ ଲକ୍ଷଣ ଓ ଚିହ୍ନ ମଧ୍ୟରେ ନୂଆ ଆବୁ (Lump), ଅସାଧାରଣ ରକ୍ତସ୍ରାବ, ଲମ୍ବା ସମୟ ଧରି କାଶ, ଅକାରଣ ଓଜନ ହ୍ରାସ ଓ ଖାଦ୍ୟନଳୀ ଚଳନର ପରିବର୍ତ୍ତନ ଦେଖାଯାଏ ।[3] ଏହି ସମସ୍ତ ଲକ୍ଷଣ କର୍କଟରେ ଥିଲେ ମଧ୍ୟ ଅନ୍ୟ କାରଣ ଯୋଗୁ ଦେଖାଯାଇପାରେ । ୧୦୦ରୁ ଅଧିକ ପ୍ରକାରର କର୍କଟ ମନୁଷ୍ୟକୁ ଆକ୍ରମଣ କରିପାଏ ।[2] କର୍କଟ ରୋଗ ଅନିୟନ୍ତ୍ରିତ ଭାବେ କୋଷ ବୃଦ୍ଧି କରିଥାଏ ଏବଂ ଶରୀରରେ କ୍ଷତିକାରକ ଆବୁ (Tumor) ସୃଷ୍ଟି କରିଥାଏ ।
କର୍କଟ ରୋଗ | |
---|---|
ଶ୍ରେଣୀବିଭାଗ ଓ ବାହାର ସ୍ରୋତ | |
ସ୍ପେଶାଲିଟି | oncology[*] |
ଆଇସିଡ଼ି-୧୦ | D00. |
ଆଇସିଡ଼ି-୯-ସିଏମ୍ | 140—239 |
ରୋଗ ଡାଟାବେସ | 28843 |
ମେଡ଼ିସିନ-ପ୍ଲସ | 001289 |
MeSH | D009369 |
ମୋଟ କର୍କଟ ମୃତ୍ୟୁ ସଂଖ୍ୟାର ୨୨% ମୃତ୍ୟୁ ତମାଖୁ ବ୍ୟବହାରଦ୍ୱାରା ହେଉଛି ।[1] ଆଉ ୧୦ %ମୃତ୍ୟୁର କାରଣ ଗୁଡ଼ିକ ହେଲା ମେଦବହୁଳତା, ଖାଦ୍ୟାଭାବ, ଶାରୀରିକ ପରିଶ୍ରମର ଅଭାବ ଓ ମଦିରା ସେବନ ।[1] ଅନ୍ୟ କେତେକ ଘଟକ ବା ଫ୍ୟାକ୍ଟର ମଧ୍ୟରେ କତିପୟ ସଂକ୍ରମଣ, ବିକିରଣ ପ୍ରଭାବ ଏବଂ ପରିବେଶ ପ୍ରଦୁଷଣ । [4] ବିକାଶଶୀଳ ରାଷ୍ଟ୍ରମାନଙ୍କରେ ହେପାଟାଇଟିସ୍ ବି, ହେପାଟାଇଟିସ୍ ସି ଓ ମାନବ ପାପିଲୋମାଭୁତାଣୁ ସଂକ୍ରମଣ ଯୋଗୁ୨୦ % କର୍କଟ ରୋଗ ହୁଏ ।[1] ଏହି ଘଟକଗୁଡ଼ିକ ଆଶିଂକ ଭାବରେ ଜୀବକୋଷରେ ଥିବା ଜିନ୍ରେ ପରିବର୍ତ୍ତନ ସୃଷ୍ଟି କରନ୍ତି ।[5] କର୍କଟ ଆରମ୍ଭ ହେବା ପୂର୍ବରୁ ଏହି ଜିନ ପରିବର୍ତ୍ତନ ଆବଶ୍ୟକ ହୁଏ ।[5] ପ୍ରାୟତଃ ୫ରୁ ୧୦ ପ୍ରତିଶତ କ୍ଷେତ୍ରରେ ରୋଗୀ ନିଜର ପିତାମାତାଙ୍କଠାରୁ ବଂଶାନୁକ୍ରମେ ତୃଟିପୁର୍ଣ୍ଣ ଜିନ ଗ୍ରହଣ କରିଥାଆନ୍ତି ।[6] କେତେକ ନିର୍ଦ୍ଦିଷ୍ଟ ଲକ୍ଷଣ ଓ ପରୀକ୍ଷା ସାହାଯ୍ୟରେ ଏହି ରୋଗ ନିର୍ଣ୍ଣୟ କରାଯାଏ । ପରେ ଏହାକୁ ମେଡିକାଲ ଇମେଜିଙ୍ଗ ଓ ବାୟୋପ୍ସି ସାହାଯ୍ୟରେ ସୁନିଶ୍ଚିତ କରାଯାଏ । [7]
ଧୁମ୍ରପାନ ନ କଲେ, ଅଧିକ ପରିବା, ଫଳ ଓ ଶସ୍ୟ ଖାଇଲେ, ମାଂସ ଓ ଅତ୍ୟଧିକ ପରିଷୃତ ଶସ୍ୟ (Refined) ନ ଖାଇଲେ, ସୁସ୍ଥ ଓଜନ ରଖିପାରିଲେ, ବ୍ୟାୟାମ କଲେ, ସୂର୍ଯ୍ୟାଲୋକ ପ୍ରଭାବିତ କମ ହେଲେ ଓ କେତେକ ସଂକ୍ରମଣ ନିମନ୍ତେ ଟିକା ନେଲେ କର୍କଟରୁ ରକ୍ଷା ମିଳିପାରିବ ।[4][8] ଜରାୟୁ ଓ କୋଲୋ-ରେକ୍ଟାଲ କର୍କଟରେ ସ୍କ୍ରିନିଙ୍ଗ କରି ପ୍ରାରମ୍ଭିକ ଚିହ୍ନଟ କରିପାରିଲେ ଉପକାର ହୁଏ ।[9] ସ୍ତନ କର୍କଟ ରୋଗରେ ସ୍କ୍ରିନିଙ୍ଗର ଉପକାରୀତା ଦ୍ୱନ୍ଦାତ୍ମକ ଅଛି ।[9][10] କର୍କଟ ରୋଗରେ ବିକୀରଣ ଚିକିତ୍ସା, ଅପରେଶନ୍, କେମୋଥେରାପି ଓ ଟାର୍ଗେଟେଡ୍ ଥେରାପି ସାହାଯ୍ୟରେ ମିଶ୍ରିତ ଚିକିତ୍ସା କରାଯାଏ ।[1][11] ଯନ୍ତ୍ରଣା ଓ ଲକ୍ଷଣ ମୁତାବକ ଚିକିତ୍ସା ଅତି ଗୁରୁତ୍ତ୍ୱପୂର୍ଣ୍ଣ । ରୋଗ ଅଧିକ ହୋଇଥିଲେ ଉପଶମପ୍ରଦ ଚିକିତ୍ସା ଆବଶ୍ୟକ ହୁଏ ।[1] ଚିକିତ୍ସା ଆରମ୍ଭରୁ କେଉଁ ପ୍ରକାର କର୍କଟ ଓ କେତେ ଅଂଶ ପ୍ରଭାବିତ ହୋଇଛି, ତାହା ଉପରେ ରୋଗରୁ ରକ୍ଷା ପାଇବା ନିର୍ଭର କରେ ।[5] ବିକଶିତ ରାଷ୍ଟ୍ରମାନଙ୍କରେ ୧୫ ବର୍ଷ ବୟସରୁ କମ୍ ପିଲାଙ୍କର ପାଞ୍ଚ ବର୍ଷ ବଞ୍ଚିବା ହାର ପ୍ରାୟ ୮୦ % ଥାଏ ।[12] ଆମେରିକାରେ ୫ ବର୍ଷ ବଞ୍ଚିବାର ହାରାହାରି ସମ୍ଭାବନା ୬୬ % ।
କର୍କଟ ରୋଗକୁ ଚିହ୍ନଟ କରିବା ପାଇଁ ବହୁତ ଗୁଡ଼ିଏ ଉପାୟ ଅଛି ଯେପରିକି ରୋଗର ଲକ୍ଷଣ, ଅଣୁବୀକ୍ଷଣ ଯନ୍ତ୍ର ସାହାଯ୍ୟରେ କୋଷ କିମ୍ବା ଗ୍ରନ୍ଥିମାନଙ୍କର ପରୀକ୍ଷା ଏବଂ ବିଭିନ୍ନ ପ୍ରକାର ଫଟୋ ପରୀକ୍ଷା । କର୍କଟ ରୋଗ ସାଧାରଣ ଭାବେ କେମୋଥେରାପି (ଔଷଧ ବା ରାସାୟନିକ ଦ୍ରବ୍ୟଦ୍ୱାରା କର୍କଟ ରୋଗର ଚିକିତ୍ସା), ବିକିରଣ ଚିକିତ୍ସା କିମ୍ବା ଶଲ୍ୟଚିକିତ୍ସାର ସାହାଯ୍ୟରେ ଉପଶମ କରିବାର ଚେଷ୍ଟା କରାଯାଇ ଥାଏ । ଏଥିରେ ରୋଗୀର ରୋଗର ସ୍ଥାନ, ଆକ୍ରାନ୍ତର ପରିମାଣ ଉପରେ ରୋଗୀର ଚିକିତ୍ସା ଏବଂ ସଂଘର୍ଷ ନିର୍ଭର କରିଥାଏ । ସବୁ ବୟସରେ ଏହି ରୋଗ ଆକ୍ରାନ୍ତ କରିବାର ସମ୍ଭାବନା ଥାଏ, କିଛି ନିର୍ଦ୍ଦିଷ୍ଟ କର୍କଟ ରୋଗ ସାଧାରଣତଃ ଛୁଆମାନଙ୍କ କ୍ଷେତ୍ରରେ ଦେଖାଯାଇଥାଏ, କର୍କଟ ରୋଗର ସମ୍ଭାବନା ବୟସ ବଢ଼ିବା ସଙ୍ଗେ ସଙ୍ଗେ ବଢ଼ିଥାଏ । ବର୍ଷ ୨୦୦୭ରେ ସାରା ପୃଥିବୀରେ କର୍କଟ ରୋଗ ଶତକଡା ୧୩ ପ୍ରତିଶତ ମୃତ୍ୟୁର କାରଣ ଥିଲା ଯାହାକି ୭.୩ ନିୟୁତ ରୋଗୀ । ବର୍ତ୍ତମାନ ଧିରେ ଧିରେ ଏହି ସଂଖ୍ୟା ବଢିଚାଲିଛି; ତାହାର ପ୍ରଧାନ କାରଣ ଆମ୍ଭମାନଙ୍କ ବଞ୍ଚିବାର ପରିବର୍ତ୍ତିତ ଶୈଳୀ ।