ମୂତ୍ରାଙ୍ଗ ସଂକ୍ରମଣ
ମୂତ୍ରାଙ୍ଗ ସଂକ୍ରମଣ ଅର୍ଥ ମୂତ୍ର ପ୍ରସ୍ତୁତ କରିବା ଯନ୍ତ୍ର ବୃକକ , ମୂତ୍ର ପରିବହନ ନଳୀ , ମୂତ୍ରାଶୟ ଓ ନିଷ୍କାସନ / From Wikipedia, the free encyclopedia
ମୂତ୍ରାଙ୍ଗ ସଂକ୍ରମଣ (Urinary Tract) ଅର୍ଥ ମୂତ୍ର ପ୍ରସ୍ତୁତ କରିବା ଯନ୍ତ୍ର ବୃକ୍କ (Kidney), ମୂତ୍ର ପରିବହନ ନଳୀ (Ureter), ମୂତ୍ରାଶୟ (Urinary Bladder) ଓ ନିଷ୍କାସନ ନଳୀ (Urethra) ସମୂହର ଯେ କୌଣସି ଅଂଶର ସଂକ୍ରମଣ ।[1] ଏହାର ବିଭିନ୍ନ ଅଂଶ ଜୀବାଣୁଦ୍ୱାରା ସଂକ୍ରମିତ ହୋଇଥାଏ । ନିମ୍ନ ମୂତ୍ରାଙ୍ଗ ବା ମୂତ୍ରାଶୟ ସଂକ୍ରମଣକୁ ସିସ୍ଟାଇଟିସ (Cystitis), ପରିବହନ ନଳୀର ପ୍ରାରମ୍ଭିକ ଅଂଶ ସଂକ୍ରମଣକୁ ପାଏଲୋନେଫ୍ରାଇଟିସ୍ (Pyelonephritis).[2], ନିଷ୍କାସନ ନଳୀ ସଂକ୍ରମଣକୁ ୟୁରେଥ୍ରାଇଟିସ୍ (Urethritis) କୁହାଯାଏ । ନିମ୍ନ ମୂତ୍ରାଙ୍ଗ ସଂକ୍ରମଣରେ ମୂତ୍ରତ୍ୟାଗ ସମୟରେ ଯନ୍ତ୍ରଣା ହୁଏ, ବାରମ୍ବାର ପରିସ୍ରା ହୁଏ ଓ ମୂତ୍ରାଶୟ ଖାଲି ଥିଲେ ମଧ୍ୟ ପରିସ୍ରା କରିବାକୁ ଅନୁଭବ ହୁଏ ।[1] ବୃକ୍କ ସଂକ୍ରମଣ ହେଲେ ଉପରଲିଖିତ ଲକ୍ଷଣ ସହିତ ଜ୍ୱର ଓ ପେଟ ଦୁଇ ପାଖରେ ଯନ୍ତ୍ରଣା ହୁଏ ।[2] କ୍ୱଚିତ ପରିସ୍ରା ରକ୍ତାକ୍ତ ହୁଏ ।[3] ରୋଗୀ ଅତି ଛୋଟ ବା ଅତି ବୟସ୍କ ହୋଇଥିଲେ ଲକ୍ଷଣ ଅନିଶ୍ଚିତ ବା ଅନିର୍ଦ୍ଦିଷ୍ଟ ଥାଏ । [1][4]
ମୂତ୍ରାଙ୍ଗ ସଂକ୍ରମଣ | |
---|---|
ଶ୍ରେଣୀବିଭାଗ ଓ ବାହାର ସ୍ରୋତ | |
ସ୍ପେଶାଲିଟି | urology[*] |
ଆଇସିଡ଼ି-୧୦ | N39.0 |
ଆଇସିଡ଼ି-୯-ସିଏମ୍ | 599.0 |
ରୋଗ ଡାଟାବେସ | 13657 |
ମେଡ଼ିସିନ-ପ୍ଲସ | 000521 |
ଇ-ମେଡ଼ିସିନ | emerg/625 emerg/626 |
Patient UK | ମୂତ୍ରାଙ୍ଗ ସଂକ୍ରମଣ |
MeSH | D014552 |
ଏହି ସଂକ୍ରମଣ ନିମନ୍ତେ ଅନେକ ଜୀବାଣୁ ଓ କବକ ଦାୟୀ ଥିଲେ ମଧ୍ୟ ମୂଖ୍ୟତଃ ଏସ୍କେରିସିଆ କୋଲାଇ ଜୀବାଣୁ ଯୋଗୁ ଏହି ରୋଗ ହୁଏ । ଏହି ସଙ୍କଟ ସୃଷ୍ଟି କରିବାରେ ମହିଳା ଯୌନାଙ୍ଗ, ଯୌନ ସମ୍ପର୍କ, ମଧୁମେହ, ମୋଟାପଣ ଓ ପାରିବାରିକ ଇତିହାସମାନଙ୍କ ଭୂମିକା ଥାଏ ।[5] ଯୌନ କ୍ରୀଡ଼ା ଏହାର ସଙ୍କଟ ସୃଷ୍ଟି ନିମନ୍ତେ ଦାୟୀ ଥିଲେ ମଧ୍ୟ ଏହି ରୋଗକୁ ଯୌନ ସଞ୍ଚାରିତ ରୋଗ ମଧ୍ୟରେ ଅନ୍ତର୍ଭୁକ୍ତ କରାଯାଏ ନାହିଁ ।[6] ମୂତ୍ରାଶୟ ସଂକ୍ରମଣ ପରେ ବୃକ୍କ ସଂକ୍ରମଣ ହେଉଥିଲେ ମଧ୍ୟ ତାହା ରକ୍ତ ବାହିତ ସଂକ୍ରମଣ ଯୋଗୁ ହୋଇପାରେ ।[7] ଯୁବତୀ ଓ ସୁସ୍ଥ ମହିଳାଙ୍କର କେବଳ ଲକ୍ଷଣ ଦେଖି ରୋଗ ନିର୍ଣ୍ଣୟ କରାଯାଇପାରେ ।[8] ଅନିଶ୍ଚିତ ଲକ୍ଷଣ ଥଲେ ରୋଗ ନିର୍ଣ୍ଣୟ କଷ୍ଟସାଧ୍ୟ ହୁଏ କାରଣ ସଂକ୍ରମଣ ନ ଥାଇ ମଧ୍ୟ ଜୀବାଣୁ ରହିପାରେ ।[9] ଚିକିତ୍ସା ନିସ୍ଫଳ ହେଲେ ବା ଜଟିଳ ଥିଲେ ପରିସ୍ରା କଲଚର ଉପକାରୀ ହୁଏ ।[10]
ରୋଗ ଜଟିଳ ନ ଥିଲେ ମୂତ୍ରାଙ୍ଗ ସଂକ୍ରମଣରେ କିଛି ଦିନ ପାଇଁ ନାଇଟ୍ରିଫୁରାଣ୍ଟଏନ ବା ଟ୍ରାଇମେଥୋପ୍ରିମ/ସଲ୍ଫାମେଥୋକ୍ସାଜୋଲ ଭଳି ଆଣ୍ଟିବାୟୋଟିକ ଦିଆଯାଏ ।[3] ବିଭିନ୍ନ ଆଣ୍ଟିବାୟୋଟିକ ନିମନ୍ତେ ପ୍ରତିରୋଧ ବଢ଼ୁଛି ।[1] ଜଟିଳ ରୋଗରେ ଶିରାଭ୍ୟନ୍ତର ଆଣ୍ଟିବାୟୋଟିକ ଆବଶ୍ୟକ ହୁଏ ।[3] ୨ ବା ୩ ଦିନ ମଧ୍ୟରେ କିଛି ଉପଶମ ନ ହେଲେ ଅଧିକ ନିର୍ଣ୍ଣୟାତ୍ମକ ପରୀକ୍ଷା କରାଯାଏ ।[10] ଫେନାଜୋପାଇରିଡିନ ଦେଲେ ଲକ୍ଷଣ ଉପଶମ ହୋଇପାରେ ।[1] ପରିସ୍ରାରେ ଶ୍ୱେତ ରକ୍ତ କଣିକା ଥାଇ ଲକ୍ଷଣ ନ ଥିଲେ ଆଣ୍ଟିବାୟୋଟିକ ଆବଶ୍ୟକ ହୁଏ ନାହିଁ,[11] କିନ୍ତୁ ଗର୍ଭାବସ୍ଥା ଏହାର ଏକ ବ୍ୟତିକ୍ରମ ।[12] ବାରମ୍ବାର ସଂକ୍ରମଣ ହେଉଥଲେ ଲକ୍ଷଣ ଆରମ୍ଭ ହେବା ମାତ୍ରେ ଅଳ୍ପ ଦିନ ନିମନ୍ତେ ଆଣ୍ଟିବାୟୋଟିକ ଦିଆଯାଏ ବା ପ୍ରତିଷେଧ ନିମନ୍ତେ ଦୀର୍ଘକାଳୀନ ଆଣ୍ଟିବାୟୋଟିକ ଦିଆଯାଏ ।[13]
ପ୍ରତିବର୍ଷ ପ୍ରାୟ ୧୫୦ ନିୟୁତ ଲୋକ ମୂତ୍ରାଙ୍ଗ ସଂକ୍ରମଣ ରୋଗରେ ପୀଡ଼ିତ ହୁଅନ୍ତି ।[5] ପୁରୁଷଙ୍କ ଅପେକ୍ଷା ମହିଳାଙ୍କୁ ଏହି ରୋଗ ବେଶୀ ହୁଏ ।[3] ମହିଳାଙ୍କର ରୋଗ ସାଧାରଣତଃ ଜୀବାଣୁ ଯୋଗୁ ହୁଏ ।[14] ଯେ କୌଣସି ବର୍ଷର ଅନୁଶୀଳନରେ ଦେଖାଯାଏ ୧୦% ମହିଳାଙ୍କର ଏହି ରୋଗ ଅଛି ଓ ୫୦% ମହିଳା ଜୀବନର କୌଣସି ନା କୌଣସି ସମୟରେ ଏହି ରୋଗର ଶୀକାର ହୁଅନ୍ତି ।[3][8] ପ୍ରାୟ ୧୬ରୁ ୩୫ ବର୍ଷ ବୟସ ମଧ୍ୟରେ ଏହି ରୋଗ ହୁଏ । ବାରମ୍ବାର ଏହି ରୋଗ ହୋଇପାରେ ।[3] ପୁରାକାଳରେ ଏହି ରୋଗ ଥିଲେ ମଧ୍ୟ ଖ୍ରୀ:ପୂ: ୧୫୫୦ରେ ପ୍ରଥମେ ଲିଖିତ ଏବର୍ସ ପାପିରସରେ ଏହାର ବର୍ଣ୍ଣନା ଦେଖିବାକୁ ମିଳେ ।[15]