ସୁଗନ୍ଧି
ସୁଗନ୍ଧିତ ପଦାର୍ଥ। / From Wikipedia, the free encyclopedia
ସୁଗନ୍ଧି ବା ପରଫ୍ୟୁମ ଶବ୍ଦଟି ଆସିଛି ଲ୍ୟାଟିନ୍ ଶବ୍ଦ ପାର ଫୁଉମାମ୍ ରୁ। ଏହି ଶବ୍ଦଟିର ଅର୍ଥ ହେଉଛି ଧୂଆଁ ମାଧ୍ୟମରେ । ପରଫ୍ୟୁମ ଶିଳ୍ପ ପ୍ରଥମେ ଆରମ୍ଭ ହୋଇଥିଲା ସୁମେରୀୟ ଏବଂ ମିଶର ସଭ୍ୟତାରେ ।ଧୀରେ ଧୀରେ ପ୍ରାଚୀନ ଗ୍ରୀସ ଏବଂ ରୋମରେ ତାହା ଆହୁରି ସମୃଦ୍ଧ ହୋଇଥିଲା । ପରଫ୍ୟୁମର ଇତିହାସ ଅନୁସନ୍ଧାନ କଲେ ଜଣାଯାଏ ଯେ ପ୍ରଥମେ ଜଣେ ମହିଳା ହିଁ ସୁଗନ୍ଧି ତିଆରି କରିଥିଲେ । ପ୍ରାଚୀନ ସୁମେରୀୟ ସଭ୍ୟତାର ଏହି ମହିଳାଜଣକ ସୁଗନ୍ଧି ଫୁଲ, ଘାସ, ତେଲ ଏବଂ ଆହୁରି ନାନା ପ୍ରକାରର ରାସାୟନିକ ମିଶାଇ ତିଆରି କରିଥିଲେ ପୃଥିବୀର ପ୍ରଥମ ପରଫ୍ୟୁମ । ଏହାପରେ ଆରବବାସୀଙ୍କ ନାନା ସୌରଭରେ ସୁରଭିତ ଏହି ପରଫ୍ୟୁମ ବୋତଲ ଆବଦ୍ଧ ହୋଇ ଆଜି ଆମ ହାତକୁ ଆସିଛି। ସୁଗନ୍ଧିର ପ୍ରଥମ ଅନୁପ୍ରେରଣା ନିଃସନ୍ଦେହରେ ସୁବାସିତ ଫୁଲ ଓ କାଠ। ଦେବତାଙ୍କ ଆରାଧନାରୁ ଆରମ୍ଭ କରି ବ୍ୟକ୍ତିଗତ ମନୋରଞ୍ଜନ ସୁଗନ୍ଧିର ବ୍ୟବହାର ଶହ ଶହ ବର୍ଷ ଧରି ଆମ ଜୀବନର ପ୍ରତି ପରସ୍ତରେ ଜଡ଼ାଇ ହୋଇ ରହିଛି । ଚିକିତ୍ସା ଏବଂ ସୁସ୍ଥ ଜୀବନଶୈଳୀ ପାଇଁ ସୁଗନ୍ଧିର ଯେ ଭୂମିକା ଅଛି ତାହାର ନିଦର୍ଶନ ମିଳେ ଅରୋମାଥେରାପିରୁ। ମୁଡ୍ ସେଟର ଭାବେ ମଧ୍ୟ ସୁଗନ୍ଧିର ଆଉ ଏକ ଭୂମିକା ରହିଛି। ଅପସନ୍ଦର ବାସ୍ନା ଯେମିତି ଆଖି ପଲକରେ ମୁଡ୍ ବିଗାଡିପାରେ, ଠିକ ସେମିତି ପସନ୍ଦର ସୁଗନ୍ଧି କ୍ଷଣିକରେ ମୁଡ୍ ବଦଳାଇପାରେ। ପ୍ରଚଣ୍ଡ ଗରମରେ ଲେମ୍ବୁର ତାଜା ସୁଗନ୍ଧ କ୍ଳାନ୍ତ ଶରୀରକୁ ତାଜା କରିପାରେ। ଶୀତର ସନ୍ଧ୍ୟାରେ ଗାଢ଼ କସ୍ତୁରୀ ସୁଗନ୍ଧ ମନ ଓ ଶରୀରରେ ଭରିଦିଏ ଏକ ଅଦ୍ଭୁତ ମାଦକତା। ଯେକୌଣସି ସୁଗନ୍ଧ ତାର ପ୍ରଥମ ପ୍ରଭାବ ବିସ୍ତାର କରେ ଆବେଗ ବା ଇମୋସନ ଉପରେ । ନିଜ ମନପସନ୍ଦର ସୁଗନ୍ଧି ଯେ ସବୁ ବିରକ୍ତ, ରାଗ ଓ ଅବସାଦକୁ ନିମିଷକ ମଧ୍ୟରେ ଦୂର କରିପାରେ, ତାହା ବିଜ୍ଞାନ ସମ୍ମତ ।