ବାଦ୍ୟ ଯନ୍ତ୍ର
ଧ୍ୱନି ସୃଷ୍ଟିକରୁଥିବା ବସ୍ତୁ / From Wikipedia, the free encyclopedia
ଏକ ବାଦ୍ୟ ଯନ୍ତ୍ରର ନିର୍ମାଣ କିମ୍ବା ବ୍ୟବହାର ସଙ୍ଗୀତର ଧ୍ୱନି ବାହାର କରିବା ନିମନ୍ତେ ବ୍ୟବହାର କରାଯାଇଥାଏ । ମୋଟାମୋଟି ଭାବେ କୌଣସି ଧ୍ୱନି ସୃଷ୍ଟିକରୁଥିବା ବସ୍ତୁକୁ ବାଦ୍ୟଯନ୍ତ୍ର କୁହାଯାଇପାରେ । ବାଦ୍ୟଯନ୍ତ୍ରର ଇତିହାସ ମାନବ ସଂସ୍କୃତିର ଆରମ୍ଭରୁ ବୋଲି ଗଣାଯାଇଥାଏ । ଏହାର ଶୈକ୍ଷଣିକ ଅଧ୍ୟୟନକୁ ଇଂରାଜୀରେ "ଅର୍ଗାନୋଲୋଜି" କୁହାଯାଏ । ସଙ୍ଗୀତ-ବାଦ୍ୟ ରୂପରେ ଏକ ବାଦିତ ଯନ୍ତ୍ରର ତିଥି ଏବଂ ଉତ୍ପତ୍ତି ୬୭,୦୦୦ ବର୍ଷ ପୁରୁଣା ବୋଲି କୁହାଯାଏ । କେତେକଙ୍କ ମତରେ ବଂଶୀର ବୟସ ପାଖାପାଖି ୩୭,୦୦୦ ବର୍ଷ । ତେବେ ସଜ୍ଞା ନିରୂପଣର ଆଞ୍ଚଳିକତା ଓ ତିଆରି ଲାଗୁଥିବା ବସ୍ତୁର ଆପେକ୍ଷିକ ଅସ୍ଥାୟୀ ଅବସ୍ଥା ସକାଶେ ବାଦ୍ୟଯନ୍ତ୍ରର ପ୍ରକୃତ ବୟସ ଆକଳନ କରିବା ସମ୍ଭବପର ହୋଇପାରିନାହିଁ । ଅନେକ ପୁରୁଣା ବାଦ୍ୟଯନ୍ତ୍ର ଜୀବଯନ୍ତୁଙ୍କ ଚମଡ଼ା ଓ ହାଡ଼, କାଠ ଓ ଅନ୍ୟାନ୍ୟ କାଳକ୍ରମେ ନଷ୍ଟ ହୋଇଯାଉଥିବା ବସ୍ତୁରେ ତିଆରି ହେଉଥିଲା ।
ବାଦ୍ୟ-ଯନ୍ତ୍ର ଦୁନିଆର ବହୁ ପୁରୁଣା କ୍ଷେତ୍ରରେ ସ୍ୱତନ୍ତ୍ର ରୂପରେ ବିକାଶିତ ହୋଇପାରିଛି । ହୁଏତ ସଭ୍ୟତାଗୁଡ଼ିକ ଭିତରେ ଦିଆନିଆ ହେତୁ ଅଧିକାଂଶ ଯନ୍ତ୍ରର ଚଞ୍ଚଳ ପ୍ରସାର ହେବା ସହିତ ମୂଳ ସ୍ଥାନରୁ ବହୁ ଦୂରରେ ମଧ୍ୟ ସେଗୁଡ଼ିକର ବ୍ୟବହାର ହୋଇପାରିଥିଲା । ମଧ୍ୟ ଯୁଗ ପର୍ଯ୍ୟନ୍ତ ମେସୋପୋଟାମିଆର ଯନ୍ତ୍ରକୁ ମାଳୟ ଦ୍ୱୀପସମୂହରେ ଦେଖାଯାଇ ପାରୁଥିଲା ଏବଂ ଉତ୍ତର ଆଫ୍ରିକାର ଯନ୍ତ୍ରକୁ ୟୁରୋପରେ ବାଦନ କରାଯାଇଥିଲା । ଆମେରିକାରେ ବିକାଶ ବହୁ ଧୀର ଗତିରେ ହୋଇଥିଲା କିନ୍ତୁ ଉତ୍ତର, ମଧ୍ୟ ଏବଂ ଦକ୍ଷିଣ ଆମେରିକାର ସଂସ୍କୃତିମାନ ବାଦ୍ୟଯନ୍ତ୍ରକୁ ବହୁ ସମ୍ମାନ କରୁଥିଲେ ।