ଟ୍ରାନ୍ସ୍ ସଙ୍ଗୀତ
From Wikipedia, the free encyclopedia
ଛାଞ୍ଚ:Infobox music genre
ଟ୍ରାନ୍ସ୍ ସଙ୍ଗୀତ (Trance Music) ଏକ ପ୍ରକାରର ବୈଦୁତିକ ସଙ୍ଗୀତ ଯାହା ଟେକ୍ନୋ ସଙ୍ଗୀତରୁ ଉଦ୍ଧୃତ କିନ୍ତୁ ଟେକ୍ନୋ ଅପେକ୍ଷା ଅଧିକ ଶ୍ରୁତିମଧୁର । ୧୯୯୦ ଦଶନ୍ଧିରେ ଜର୍ମାନୀ ଓ ଇଉରୋପ୍ର ଅନ୍ୟ ଦେଶମାନଙ୍କରେ ଏହାର ସୃଷ୍ଟି ହୋଇଥିଲା । ଟ୍ରାନ୍ସ୍ ସଙ୍ଗୀତରେ ମିନିଟ୍ ପ୍ରତି ୧୨୫ରୁ ୧୫୦ ତାଳ (Beats per Minute - BPM) ରହିଥାଏ । ଏକ ଟ୍ରାନ୍ସ୍ ଗୀତରେ ଗୋଟିଏ ନିର୍ଦ୍ଦିଷ୍ଟ ଧ୍ୱନି ବା ସ୍ୱରର ପୁନରାବୃତ୍ତି ହେଉଥାଏ । ଟ୍ରାନ୍ସ୍ ଗୀତରେ କ୍ଷୁଦ୍ର ଧ୍ୱନିମାନେ ସମ୍ମିଳିତ ହୋଇ ଉର୍ଦ୍ଧ୍ୱମୁଖୀ ଆବେଗରେ ଶିଖରରେ ପହଞ୍ଚିଯାଆନ୍ତି । ପ୍ରତି ଟ୍ରାନ୍ସ୍ ଗୀତରେ ଗୋଟିଏରୁ ଦୁଇଟି ଶିଖର ବା ଗହ୍ୱର ରହିଥାଏ । ଟ୍ରାନ୍ସ୍ ସଙ୍ଗୀତକୁ ବୈଦୁତିକ ସଙ୍ଗୀତ ଜଗତରେ ଏକ ସ୍ୱତନ୍ତ୍ର ସଙ୍ଗୀତ ଶୈଳୀର ମାନ୍ୟତା ମିଳିଛି ସତ, କିନ୍ତୁ ଏଥିରେ ଟେକ୍ନୋ[1], ହାଉସ୍, ପପ୍, ଚିଲ୍-ଆଉଟ୍, ପାରମ୍ପରିକ ସଙ୍ଗୀତ, ଟେକ୍ ହାଉସ୍, ଲୋକପ୍ରିୟ ଓ ଚଳଚ୍ଚିତ୍ର ସଙ୍ଗୀତର ପ୍ରଭାବ ମଧ୍ୟ ସ୍ପଷ୍ଟ ରୂପରେ ଜଣାପଡେ ।
ଚେତନା ପ୍ରାପ୍ତିରେ ମଜ୍ଜିଥିବା ବା ସମ୍ମୋହିତ ମାନସିକ ଅବସ୍ଥାକୁ ଈଂରାଜୀରେ “ଟ୍ରାନ୍ସ୍” ଅବସ୍ଥା କୁହନ୍ତି । ଏପରି ମାନସିକ ଅବସ୍ଥାକୁ ସଙ୍ଗୀତ ମାଧ୍ୟମରେ ପରିପ୍ରକାଶ କରିବା ପାଇଁ ଧ୍ୱନିର ଏକାଧିକ ସ୍ତରକୁ ପୃଥକ୍ ଭାବେ ଯୋଡ଼ି ଶିଖର-ଗହ୍ୱର ଆବେଗର ରୂପ ଦିଆଯାଏ । ଟ୍ରାନ୍ସ୍ ଗୀତରେ କେବେକେବେ ଗୀତ ମଝିରେ ଉପସଂହାର ପରି ଆବେଗ ରଚନା କରାଯାଏ ଓ ଏହି ସମାପ୍ତି ପରି ଲାଗୁଥିବା ସ୍ଥାନରୁ ପୁଣି ଗୀତର ବେଗ ବଢ଼ି ସାଧାରଣ ଆବେଗକୁ ପହଞ୍ଚିଯାଏ । ଟ୍ରାନ୍ସ୍ ଗୀତ ସାଧାରଣତଃ ଟିକେ ଲମ୍ବା ଥାଏ । ଗୀତ ଲମ୍ବା ହୋଇଥିବା ଯୋଗୁଁ ଗୋଟିଏ ଗୀତରୁ ଆଉ ଏକ ଗୀତକୁ ଯିବାବେଳେ ତାଳ ମିଶାଇବା ପାଇଁ ଡିଜେମାନଙ୍କୁ ସୁବିଧା ହୁଏ ।
ଟ୍ରାନ୍ସ୍ ଗୀତରେ ବାଦ୍ୟଯନ୍ତ୍ରର ଧ୍ୱନି ବା ବୈଦୁତିକ ଉପାୟରେ ସୃଷ୍ଟ ଧ୍ୱନି ସର୍ବାଧିକ ବ୍ୟବହୃତ ହୁଏ । କେତେକ ଗୀତରେ ଏହି ସବୁ ଧ୍ୱନିର ଆଧାର ଉପରେ କଣ୍ଠଶିଳ୍ପୀମାନେ ଗୀତ ଗାଆନ୍ତି । ସମୂହଗାନ ବା କୋରସ୍ ପରିଲକ୍ଷିତ ହୁଏନାହିଁ । ଅଧିକ ସମୟରେ ଭୋକାଲ୍ ଟ୍ରାନ୍ସ୍ ଗୀତରେ ଏକାକୀ ମହିଳା କଣ୍ଠଶିଳ୍ପୀମାନଙ୍କୁ ଶୁଣିବାକୁ ମିଳେ । ଅଧିକ ପ୍ରଚଳନ ଯୋଗୁଁ ବର୍ତ୍ତମାନ ସମୟରେ ଭୋକାଲ୍ ଟ୍ରାନ୍ସ୍ ଏକ ସ୍ୱତନ୍ତ୍ର ଟ୍ରାନ୍ସ୍ ଶୈଳୀରୂପେ ଉଭା ହୋଇଛି ।