ଇରଫାନ ଖାନ
ଭାରତୀୟ ଅଭିନେତା / From Wikipedia, the free encyclopedia
ସାହାବଜାଦେ ଇରଫାନ ଅଲ୍ଲୀ ଖାନ (୭ ଜାନୁଆରୀ ୧୯୬୭ – ୨୯ ଅପ୍ରେଲ ୨୦୨୦)[2] ଜଣେ ଭାରତୀୟ ଅଭିନେତା ଥିଲେ । ସେ ମୁଖ୍ୟତଃ ହିନ୍ଦୀ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ହିନ୍ଦୀ ବ୍ୟତୀତ ସେ ବହୁ ବ୍ରିଟିଶ ଓ ଆମେରିକୀୟ ଚଳଚ୍ଚିତ୍ରରେ ମଧ୍ୟ ଅଭିନୟ କରିଥିଲେ । ଭାରତର ଶ୍ରେଷ୍ଠ ଅଭିନେତାମାନଙ୍କ ମଧ୍ୟରେ ପରିଗଣିତ [3] ଇରଫାନଙ୍କର ୩୦ବର୍ଷର ଅଭିନୟ ଜୀବନ ମଧ୍ୟରେ ତାଙ୍କୁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର, ଏସୀୟ ଚଳଚ୍ଚିତ୍ର ପୁରସ୍କାର, ଫିଲ୍ମଫେୟାର ପୁରସ୍କାର ଭଳି ଅନେକ ସମ୍ମାନ ଓ ପୁରସ୍କାର ମିଳିଛି । ୨୦୧୧ ମସିହାରେ ସେ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନୀତ ହୋଇଥିଲେ । ଇରଫାନ ଏକ ଓଡ଼ିଆ ଚଳଚ୍ଚିତ୍ର ତାରାରେ ଅଭିନୟ ମଧ୍ୟ କରିଥିଲେ । ଏଥିପାଇଁ ସେ ଓଡ଼ିଶା ଆସି ସୁଟିଂ କରିଥିଲେ । ପାରିବାରିକ ଅସୁବିଧା ଯୋଗୁ ତାଙ୍କୁ ଏହି ଚଳଚ୍ଚିତ୍ର ଅଧାରୁ ଛାଡିବାକୁ ପଡିଥିଲା ଓ ସେହି ଚରିତ୍ରରେ ଅଜିତ ଦାସ ଅଭିନୟ କରିଥିଲେ ।[4]
ଇରଫାନ ଖାନ | |
---|---|
ଜନ୍ମ | ସାହାବଜାଦେ ଇରଫାନ ଅଲ୍ଲୀ ଖାନ[1] (1967-01-07)୭ ଜାନୁଆରୀ ୧୯୬୭ |
ମୃତ୍ୟୁ | ୨୯ ଅପ୍ରେଲ ୨୦୨୦(2020-04-29) (ବୟସ ୫୩) |
ମୃତ୍ୟୁର କାରଣ | କଲିଟିସ |
ଶିକ୍ଷାନୁଷ୍ଠାନ | ରାଷ୍ଟ୍ରୀୟ ନାଟ୍ୟ ବିଦ୍ୟାଳୟ |
ବୃତ୍ତି | ଅଭିନେତା |
ସକ୍ରିୟ ବର୍ଷ | ୧୯୮୫–୨୦୨୦ |
ଉଲ୍ଲେଖନୀୟ କୃତି | ମକବୁଲ, ହିନ୍ଦୀ ମିଡିୟମ, ପିକୁ, ଲଞ୍ଚ ବକ୍ସ |
ବୈବାହିକ-ସାଥୀ | ସୁତପା ସିକଦାର |
ସନ୍ତାନ | ଆୟାନ, ବବିଲ ଖାନ |
Honours | ପଦ୍ମଶ୍ରୀ (୨୦୧୧) |
୧୯୮୮ ମସିହାରେ, 'ସଲାମ ବମ୍ବେ' ଚଳଚ୍ଚିତ୍ରରୁ ଇରଫାନ ନିଜର ଅଭିନୟ ଜୀବନ ଆରମ୍ବ କରିଥିଲେ । ତାପରେ କିଛି ବର୍ଷର ସଂଘର୍ଷ ପରେ, ସେ ୨୦୦୧ରେ ବ୍ରିଟିଶ ଚଳଚ୍ଚିତ୍ର 'ଦ ୱାରିୟର', ୨୦୦୩ରେ 'ହାସିଲ', ୨୦୦୪ରେ 'ମକବୁଲ', ୨୦୦୬ରେ 'ନେମସେକ', ୨୦୦୭ରେ 'ଲାଇଫ ଇନ ଏ ମେଟ୍ରୋ', ୨୦୧୧ରେ 'ପାନ ସିଂ ତୋମାର' , ୨୦୧୩ରେ 'ଲଞ୍ଚ ବକ୍ସ', ୨୦୧୫ରେ 'ପିକୁ' ଓ 'ତଲୱାର' ଆଦି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ପାନ ସିଂ ତୋମାର ଚଳଚ୍ଚିତ୍ରରେ ମୁଖ୍ୟ ଚରିତ୍ରରେ ଅଭିନୟ କରି ସେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଲାଭ କରିଥିଲେ । ହଲିଉଡ଼ ଚଳଚ୍ଚିତ୍ର 'ଦ ଆମେଜିଂ ସ୍ପାଇଡ଼ର ମ୍ୟାନ ( ୨୦୧୨), 'ଲାଇଫ ଅଫ ପାଇ' (୨୦୧୨), 'ଜୁରାସିକ ୱାର୍ଲଡ଼' (୨୦୧୫), 'ଇନଫର୍ଣୋ ( ୨୦୧୬),[5][6] 'ସଲ୍ମଡଗ ମିଲିନୟାର ( ୨୦୦୮), ନ୍ୟୁୟୋର୍କ ( ୨୦୦୯), ହୈଦର ( ୨୦୧୪), 'ଗୁଣ୍ଡେ' (୨୦୧୪) ଚଳଚ୍ଚିତ୍ର ଓ ଟେଲିଭିଜନ ଧାରାବାହିକ 'ଇନ ଟ୍ରିଟମେଣ୍ଟ' (୨୦୧୦) ଆଦିରେ ସେ ଅଭିନୟ କରିଥିଲେ ।[7] '୨୦୧୭ର ଚଳଚ୍ଚିତ୍ର 'ହିନ୍ଦୀ ମିଡିୟମ' ତାଙ୍କର ସବୁଠାରୁ ଅଧିକ ବ୍ୟବସାୟିକ ସଫଳତା ହାସଲ କରିଥିବା ଚଳଚ୍ଚିତ୍ର ଥିଲା । ଏଥିପାଇଁ ସେ ଫିଲ୍ମଫେୟାର ଶ୍ରେଷ୍ଠ ଅଭିନେତା ପୁରସ୍କାର ପାଇଥିଲେ । ଏହାର ଦ୍ୱିତୀୟ ଭାଗ 'ଅଂରେଜୀ ମିଡିୟମ' ୨୦୨୦ରେ ତାଙ୍କ ମୃତ୍ୟୁର କିଛି ଦିନ ଆଗରୁ ମୁକ୍ତିଲାଭ କରିଥିଲା ।[8]
୨୦୧୭ ବର୍ଷ ସୁଦ୍ଧା, ତାଙ୍କର ସମସ୍ତ ଚଳଚ୍ଚିତ୍ର ମିଶି ସମୁଦାୟ ୩.୬ ବିଲିୟନ ଆମେରିକୀୟ ଡଲାରର ବ୍ୟବସାୟ କରିସାରିଥିଲା । ୨୦୧୮ରେ ତାଙ୍କ ଶରୀରରେ ନ୍ୟୁର-ଏଣ୍ଡୋକ୍ରୀନ ଟ୍ୟୁମର ଦେଖା ଯାଇଥିଲା ।[9][10] ୨୦୨୦ ଅପ୍ରେଲ ୨୯ ତାରିଖରେ ସେ କଲୋନ ସଂକ୍ରମଣ ଯୋଗୁ ମୃତ୍ୟୁ ବରଣ କରିଥିଲେ ।[2] ଗାର୍ଡିୟନ ପତ୍ରିକାର ପିଟର ବ୍ରାଡ଼ସ ଇରଫାନଙ୍କୁ ହଲିଉଡ଼ ଓ ଦକ୍ଷିଣ ଏସୀୟ ଚଳଚ୍ଚିତ୍ରର ଯୋଗସୂତ୍ରକାରୀ ଭାବରେ ବର୍ଣ୍ଣନା କରିଥିଲେ [6]