ଆଣ୍ଡିଜ
ପର୍ବତମାଳା / From Wikipedia, the free encyclopedia
ଆଣ୍ଡିଜ ବା ଆଣ୍ଡିଜ୍ ପର୍ବତମାଳା (ଇଂରାଜୀରେ Andes ବା Andean Mountains, ସ୍ପେନୀୟ ଭାଷାରେ Cordillera de los Andes) ଦକ୍ଷିଣ ଆମେରିକା ମହାଦେଶରେ ଅବସ୍ଥିତ ଓ ବିଶ୍ୱର ଦୀର୍ଘତମ ପର୍ବତମାଳା ଭାବେ ଖ୍ୟାତ । ବିଶ୍ୱର ସର୍ବୋଚ୍ଚ ପର୍ବତମାଳାମାନଙ୍କ ବର୍ଗରେ ଆଣ୍ଡିଜ ହିମାଳୟ ପଛକୁ ଦ୍ୱିତୀୟ ସ୍ଥାନରେ ରହିଛି । ଏହି ପର୍ବତମାଳା ପ୍ରାୟ ୭୦୦୦ କିଲୋମିଟର ଲମ୍ବା, ଏହାର ପ୍ରସ୍ଥ ୨୦୦ରୁ ୭୦୦ କିଲୋମିଟର ଏବଂ ଏହାର ହାରାହାରି ଉଚ୍ଚତା ୪୦୦୦ ମିଟର । ଆଣ୍ଡିଜ ପର୍ବତମାଳା ଦକ୍ଷିଣ ଆମେରିକାର ୭ଟି ଦେଶରେ ବ୍ୟାପି ରହିଛି ଏବଂ ଉତ୍ତରରୁ ଦକ୍ଷିଣକୁ ଏହି ସବୁ ଦେଶ ହେଲେ ଭେନେଜୁଏଲା, କଲମ୍ବିଆ, ଇକ୍ୱେଡର, ପେରୁ, ବଲିଭିଆ, ଚିଲି ଏବଂ ଆର୍ଜେଣ୍ଟିନା ।
ଆଣ୍ଡିଜ ପର୍ବତମାଳା | |
---|---|
କୋର୍ଡିଲିଏରା ଦେ ଲୋସ୍ ଆଣ୍ଡେସ୍ | |
Elevation | ୬୯୬୧ ମିଟର୍ |
Location | |
Coordinates | 32°S 70°W |
ବହୁ ସ୍ଥାନରେ ଆଣ୍ଡିଜ ପର୍ବତମାଳା ବିଭକ୍ତ ମଧ୍ୟ ହୋଇଛି । ଆଣ୍ଡିଜର ଅନେକ ସ୍ଥାନରେ ଉଚ୍ଚ ମାଳଭୂମି ମଧ୍ୟ ରହିଛି ଏବଂ କ୍ୱିଟୋ, ବୋଗୋଟା, କାଲି, ଆରେକିପା, ମେଡେଲିନ୍, ବୁକାରାମାଙ୍ଗା, ସୁକ୍ରେ, ମେରିଡା, ଲାପାଜ୍ ପରି ଅନେକ ବୃହତ ନଗର ଏହି ଉଚ୍ଚ ମାଳଭୂମିମାନଙ୍କରେ ଅବସ୍ଥିତ । ତିବ୍ବତ ମାଳଭୂମି ପରେ ଆଲ୍ଟିପ୍ଲାନୋ ମାଳଭୂମି ବିଶ୍ୱର ଦ୍ୱିତୀୟ ଉଚ୍ଚତମ ମାଳଭୂମି । ଜଳବାୟୁ ଅନୁସାରେ ଆଣ୍ଡିଜ ପର୍ବତମାଳାକୁ ତିନୋଟି ଅଞ୍ଚଳରେ ବିଭକ୍ତ କରାଯାଇଛି – କ୍ରାନ୍ତୀୟ ଆଣ୍ଡିଜ, ଶୁଷ୍କ ଆଣ୍ଡିଜ ଏବଂ ଆର୍ଦ୍ର ଆଣ୍ଡିଜ ।
ଏସିଆ ବାହାରର ଉଚ୍ଚତମ ପର୍ବତମାଳା ଆଣ୍ଡିଜ ଓ ଏହାର ସର୍ବୋଚ୍ଚ ଶୃଙ୍ଗ ଆକାଙ୍କାଗୁଆ । ସମୁଦ୍ର ପତନରୁ ଆକାଙ୍କାଗୁଆର ଉଚ୍ଚତା ୬୯୬୧ ମିଟର । ଇକ୍ୱେଡରରେ ଅବସ୍ଥିତ ଆଗ୍ନେୟଗିରି ଚିମ୍ବୋରାଜୋର ଶୃଙ୍ଗ ହେଉଛି ପୃଥିବୀର କେନ୍ଦ୍ରରୁ ପୃଥିବୀର ଅନ୍ୟ ସ୍ଥାନମାନଙ୍କ ତୁଳନାରେ ସବୁଠାରୁ ଅଧିକ ଦୂର । ପୃଥିବୀର ସର୍ବୋଚ୍ଚ ଆଗ୍ନେୟଗିରିମାନ ଆଣ୍ଡିଜ ପର୍ବତମାଳାର ଅଂଶ । ଚିଲି ଓ ଆର୍ଜେଣ୍ଟିନାର ସୀମାରେ ରହିଥିବା ଓହୋସ୍ ଏଲ୍ ସାଲାଡ଼ୋର ଉଚ୍ଚତା ୬୮୯୩ ମିଟର ।
ଉତ୍ତର ଆମେରିକା, ଦକ୍ଷିଣ ଆମେରିକା ଓ ଆଣ୍ଟାର୍କଟିକା ପର୍ଯ୍ୟନ୍ତ ରହିଥିବା ଆମେରିକୀୟ ପର୍ବତ ମହାଶୃଙ୍ଖଳର (American Cordillera) ଏକ ଅଂଶ ହେଉଛି ଆଣ୍ଡିଜ ।