ଅଭିନିବେଶ ଅର୍ଥନୀତି
From Wikipedia, the free encyclopedia
[[Category:Lua error in package.lua at line 80: module 'Module:Pagetype/setindex' not found. with short description]]
ଅଭିନିବେଶ ଅର୍ଥନୀତି (ଇଂରାଜୀ ଭାଷାରେ attention economics) ଅର୍ଥନୀତିର ଏକ ଶାଖା ଯେଉଁଥିରେ ମନୁଷ୍ୟର ଧ୍ୟାନ ବା ଆଗ୍ରହକୁ ଏକ ଦୁର୍ଲଭ ସମ୍ବଳ ବୋଲି ବିବେଚନା କରାଯାଇଥାଏ ଓ ତାହାକୁ ପଣ୍ୟ ଦ୍ରବ୍ୟ (ଇଂରାଜୀରେ commodity) ବିଚାର କରି ବିଭିନ୍ନ ଅର୍ଥନୈତିକ ନିୟମ ଓ ପନ୍ଥାଦ୍ୱାରା ତଥ୍ୟ ସମ୍ବନ୍ଧୀୟ ସମସ୍ୟାମାନଙ୍କର ସମାଧାନ କରାଯାଇଥାଏ । ମ୍ୟାଥ୍ୟୁ କ୍ରଫୋର୍ଡ୍ ଏହାକୁ ସରଳ ଭାବେ ବର୍ଣ୍ଣନା କରି କହିଛନ୍ତି ଯେ : “ମନୁଷ୍ୟର ଧ୍ୟାନ ବା ଆଗ୍ରହ ଏକ ସମ୍ବଳ – କାରଣ, ଏହା ଅଧିକ ସମୟ ପାଇଁ ବା ଅଧିକ ମାତ୍ରାରେ ଉପଲବ୍ଧ ନୁହଁ” ।[1]
ଏହି ପରିପ୍ରେକ୍ଷୀରେ ଥୋମାସ୍ ହେସ୍ ଡାଭେନପୋର୍ଟ୍ ଓ ଜେ. ସି. ବେକ୍ ଅଭିନିବେଶର (ମନୁଷ୍ୟର ଧ୍ୟାନ/ଆଗ୍ରହ, ଇଂରାଜୀ ଭାଷାରେ Attention) ସଂଜ୍ଞା ନିରୂପଣ କରି କହିଛନ୍ତି :
ଏକ ନିର୍ଦ୍ଦିଷ୍ଟ ବସ୍ତୁ ବା ତଥ୍ୟ ଉପରେ ଧ୍ୟାନ କେନ୍ଦ୍ରିତ କରିବାକୁ ଅଭିନିବେଶ ବୋଲି କୁହାଯିବ । ଏହି ବସ୍ତୁ ବା ତଥ୍ୟ ଆମ ଜ୍ଞାତସାରରେ ଆସିବା ପରେ ଆମେ ତାହାର ସ୍ୱାଦ ଉପଭୋଗ କରୁ ଓ ତାହା ପରେ ନିର୍ଣ୍ଣୟ କରୁ ଯେ ଏହାକୁ ନେଇ କଣ କରିବା (୨୦୦୧)।
ଆଧୁନିକ ଯୁଗରେ ଯେହେତୁ ଉପଲବ୍ଧ ତଥ୍ୟର ଆକାର ବହୁ ପରିମାଣରେ ବଢ଼ି ଯାଇଛି ଓ ଏହି ତଥ୍ୟ ସୁଲଭ ହୋଇଯାଇଛି, ତେଣୁ ତଥ୍ୟର ଉପଭୋଗ/ଗ୍ରହଣ (ଇଂରାଜୀରେ consumption) କ୍ଷମତା ହ୍ରାସ ପାଇଛି ବା ଅନ୍ୟ ଅର୍ଥରେ ମନୁଷ୍ୟର ଅଭିନିବେଶ ସମୟ ସୀମିତ ବା ଦୁର୍ଲଭ ହୋଇଯାଇଛି ।[2] ପ୍ରଥମତଃ, ମନୁଷ୍ୟ ମସ୍ତିଷ୍କର ମାନସିକ କ୍ଷମତା ସୀମିତ, ତେଣୁ ଏକ ବିଶାଳ ତଥ୍ୟାଗାରରୁ ସମସ୍ତ ଉପଲବ୍ଧ ଜ୍ଞାନ, ସୂଚନା ବା ତଥ୍ୟ ଗ୍ରହଣ କରିବା ମନୁଷ୍ୟ ପକ୍ଷରେ ସମ୍ଭବ ନୁହେଁ । ଡିଜିଟାଲ୍ ଯୁଗରେ ମନୁଷ୍ୟକୁ ଘେରି ରହିଥିବା ତଥ୍ୟାଗାରରୁ ମନୁଷ୍ୟର ଆଗ୍ରହ କେବଳ କିଛି ବଛା ତଥ୍ୟ ଉପରେ କେନ୍ଦ୍ରୀଭୂତ ହୋଇଥାଏ ଓ ଏଥିରେ ମନୁଷ୍ୟର ଅଭିନିବେଶ ଏକ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ ।[3]
ଅଭିନିବେଶ ଅର୍ଥନୀତିକୁ ଆଖି ଆଗରେ ରଖି ଅଧିକାଂଶ ସଫ୍ଟୱେର୍ ଆପ୍ଲିକେସନ୍ ନିଜର ୟୁଜର୍ ଇଣ୍ଟର୍ଫେସ୍ର ସଂରଚନା କରିଥାନ୍ତି । ବ୍ୟବହାରକାରୀଙ୍କୁ ଏକ ସଫ୍ଟୱେର୍ ବା ୱେବ୍ସାଇଟରେ କୌଣସି ନିର୍ଦ୍ଦିଷ୍ଟ ତଥ୍ୟ ବା ବସ୍ତୁ ଖୋଜିବାକୁ ଅଧିକ ସମୟ ଲାଗୁଥିଲେ ସେମାନେ ଉକ୍ତ ସଫ୍ଟୱେର୍ ବା ୱେବ୍ସାଇଟ୍ ପରିତ୍ୟାଗ କରି ଅନ୍ୟ ସ୍ଥାନରେ ନିଜ ଆବଶ୍ୟକୀୟ ତଥ୍ୟ ବା ବସ୍ତୁ ଖୋଜିଥାନ୍ତି । ତେଣୁ ପ୍ରଥମ ସନ୍ଧାନରେ ହିଁ ଅଧିକରୁ ଅଧିକ ପ୍ରାସଙ୍ଗିକ, ଧ୍ୟାନ ଆକର୍ଷଣକାରୀ ଓ ଜନପ୍ରିୟ ବା ଏକା ପ୍ରକାରର ଜନଗୋଷ୍ଠୀର ବହୁ ବ୍ୟବହାରକାରୀଙ୍କଦ୍ୱାରା ଦେଖାଯାଇଥିବା ତଥ୍ୟ ଓ ବସ୍ତୁ ବାଛି ବାଛି ପ୍ରଦର୍ଶିତ କରାଯାଇଥାଏ ।[4] ଅଭିନିବେଶ ଆଧାରିତ ବିଜ୍ଞାପନରେ କେତେ ଜଣ ବ୍ୟକ୍ତିଙ୍କ ଆଖି ଏକ ନିର୍ଦ୍ଦିଷ୍ଟ ବିଜ୍ଞାପନକୁ ଦେଖିଛି ତାହା ଗଣନା କରାଯାଇଥାଏ ।[5]